ପ୍ରତିଷେଧକମୂଳକ ପଦକ୍ଷେପ ନେଇ ଚିଠି ଲେଖି ଅବଗତ କଲେ ମୁଖ୍ୟମନ୍ତ୍ରୀ

1 min read
CM Naveen Patnaik Inaugurated Three Books

ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି କରୋନା ଜୀବାଣୁ । ଏହାର ପ୍ରଭାବରେ COVID-19 ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏଥିରୁ ବଞ୍ଚିବାଲାଗି ନିର୍ଦ୍ଦିଷ୍ଟଭାବେ ସେଭଳି କିଛି ଔଷଧ ବାହାରିନଥିବା ବେଳେ ସଚେତନାତା ଓ ସତର୍କତା ଦ୍ୱାରା ହିଁ ଏହାକୁ ବ୍ୟାପିବାରୁ ରୋକାଯାଇପାରିବ । ଏଣୁ ଏହାକୁ ରୋକିବା ଲାଗି ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁ ବିଷୟରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦମାନଙ୍କ ଚିଠି ଲେଖି ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚିଠିରେ ମୁଖ୍ୟମନ୍ତ୍ରୀ ହାଡ଼ଫୁଟି ରୋଗର ଉଦାହରଣ ଦେଇ କରୋନାର ଗମ୍ଭୀରତା ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି । ସଂକ୍ରମଣଠାରୁ ନିଜକୁ ଦୂରେଇରଖିବା ହେଉଛି ସବୁଠାରୁ ବଡ଼ ସୁରକ୍ଷା । ମା’ମାନେ ଯେପରି ହାଡ଼ଫୁଟି ପାଇଁ ଆମ ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖି ଘରେ ଆମର ଯତ୍ନ ନେଉଥିଲେ । ଆମକୁ କରୋନା ପାଇଁ ମଧ୍ୟ ସେହିପରି ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ୍‌ ଯୋଜନା, ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ୪ ମାସ ପାଇଁ ଏକକାଳୀନ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଜନସମାବେଶକୁ ସୀମିତ ରଖିବା ନିମନ୍ତେ ଏହି ଭତ୍ତା ରାଶିକୁ ହିତାଧିକାରୀମାନଙ୍କୁ ସେମାନଙ୍କ ନିଜ ଗାଁରେ ହିଁ ପ୍ରଦାନ କରାଯିବ ।

ଏଥିନିମନ୍ତେ ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ହେବାକୁ ଥିବା ପ୍ରତ୍ୟେକ ଗ୍ରାମପଞ୍ଚାୟତ ସଭାରେ ଗ୍ରାମଓ୍ୱାରୀ ଭତ୍ତା ବଣ୍ଟନ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ।

NFSରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ ଠାରୁ ୧୫ ମଇ ପର୍ଯ୍ୟନ୍ତ ଅର୍ଥାତ ୪୫ ଦିନ ମଧ୍ୟରେ ୩ ମାସ ପାଇଁ ଚାଉଳ, ଗହମ ଏବଂ କିରୋସିନ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାସନ ଦୋକାନମାନଙ୍କୁ ଗହଳି ମୁକ୍ତ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଦେଶ ବାହାରୁ ଓଡ଼ିଶା ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ରେଜିଷ୍ଟ୍ରେସନ୍‌ ରେଗୁଲେସନ୍‌ ଅନୁଯାୟୀ ନିଜକୁ ପଞ୍ଜିକୃତ କରାଇବା ସହିତ ନିଜ ଗୃହରେ ୧୪ ଦିନ ସଙ୍ଗରୋଧ କରି ରହିବେ । ଉକ୍ତ ସଙ୍ଗରୋଧ ସମୟ ସୀମା ସଫଳତାର ସହିତ ଶେଷ କରିଥିବା ପଞ୍ଚକୃତ ବ୍ୟକ୍ତିମାନଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଗ୍ରାମ ପଞ୍ଚାୟତର ସଭ୍ୟମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କର ପଞ୍ଜିକରଣ ପାଇଁ ସୂଚନା ଦେବେ ।

ତେବେ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟସ୍ତରରେ କୌଣସି ରେଜିଷ୍ଟ୍ରେସନ୍‌ ଆବଶ୍ୟକ ନାହିଁ ।

ତେବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଯଥାସମ୍ଭବ ଘରେ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ତେଣୁ ୩ରୁ ୬ ବର୍ଷ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ପାଇଁ ସମସ୍ତ ଶୁଖିଲା ରାସନ୍‌ ଅଙ୍ଗନଓ୍ୱାଡି କର୍ମୀ ଓ ସହାୟିକାମାନେ ହିତାଧିକାରୀମାନଙ୍କ ଗୃହରେ ସିଧାସଳଖ ଯୋଗାଇ ଦେବାର ବ୍ୟବସ୍ଥା କରିବେ ।

ପ୍ରତି ଗ୍ରାମରେ ଅତ୍ୟାବଶ୍ୟକୀୟ ଏବଂ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଣ୍ଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି ।

ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିଜୁଳି, ପାଣି ଶୌଚାଳୟ ଏବଂ ପାଓ୍ୱାର ବେକ୍‌ ଅପ୍‌ ସୁବିଧା ଥିବା ଏକ ନିର୍ଦ୍ଧିଷ୍ଟ ଘରକୁ ପ୍ରସ୍ତୁତ ରଖାଯିବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୫ ଲକ୍ଷ ଟଙ୍କା ମଞ୍ଜୁର କରିସାରିଛି ।

Leave a Reply