ଭିଡ଼ିଓ କନଫରେନସିଂରେ ଫ୍ଲାଏ ଓଭର ପାଇଁ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଯୋଡା ସହରର ଫ୍ଲାଏ ଓଭର ନିର୍ମାଣ ପାଇଁ ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ୨୦୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ୪ କିଲୋମିଟର ୮୭୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଏ ଓଭର ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଯୋଡା ସହରର ଡିଏଭି ସ୍କୁଲ ନିକଟ ଜାତୀୟ ରାଜପଥ ଜଙ୍କସନରୁ ଯୋଡା-ବାମେବାରୀ ରାସ୍ତାରେ କମାରଯୋଡା ମେଡିକାଲ୍ ପର୍ଯ୍ୟନ୍ତ ଏହି ଫ୍ଲାଏ ଓଭର ନିର୍ମିତ ହେବ ।
ସର୍ଭିସ୍ ରୋଡ୍, ଆପ୍ରୋଚ୍ ରୋଡ୍ ସହିତ ଫ୍ଲାଇ ଓଭରରେ ବୈଦୁତିକ ସୁବିଧା, ଜନସ୍ୱାସ୍ଥ୍ୟ ସୁବିଧା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ରହିବ । ଓଡିଶା ବ୍ରିଜ୍ କନଷ୍ଟ୍ରକସନ କମ୍ପାନୀ ଲିମିଟେଡ ଏହାର ନିର୍ମାଣ ଦାୟିତ୍ୱ ନେଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦରବାର ହଲରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।