ବିକାଶ ପଥେ ପଶ୍ଚିମ ଓଡ଼ିଶା, ୭ଟି ଉନ୍ନତିମୂଳକ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶ ପଥେ ପଶ୍ଚିମ ଓଡ଼ିଶା । ୨୩ କୋଟି ୮୫ ଲକ୍ଷ ଟଙ୍କାର ୭ଟି ଉନ୍ନତିମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୫ କୋଟି ୮୩ ଲକ୍ଷ ଟଙ୍କାର ୬ଟି ଉନ୍ନତିମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ୬ କୋଟି ୬୨ ଲକ୍ଷରୁ ଅଧିକ ଟଙ୍କାରେ ବଲାଙ୍ଗୀର ଜିଲ୍ଲାରେ ଗଡ଼ିଆଯୋର ନୂଆ ହାଇଲେଭେଲ ସେତୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ କୋଟି ୫୦ ଲକ୍ଷ ଟଙ୍କାରେ ଟିଟିଲାଗଡ଼ରେ ନବନିର୍ମିତ ଟାଉନହଲ, ଦେବଗଡ଼ ମହାବିଦ୍ୟାଳୟରେ ନବନିର୍ମିତ ପ୍ରେକ୍ଷାଳୟ, କଳାହାଣ୍ଡି ଜିଲ୍ଲା ବ୍ରଜମୋହନ ହାଇସ୍କୁଲରେ ନବନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ନବ ନିର୍ମିତ ପ୍ରକ୍ଷାଳୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ୮୦ ଲକ୍ଷ ଟଙ୍କା ବ୍ୟୟରେ ବରଗଡ଼ ଜିଲ୍ଲାରେ ଜାଣ୍ଡୋଲ ଗ୍ରାମ କମ୍ୟୁନିଟି ହଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ବରଗଡ଼ ଜିଲ୍ଲା କଳାଗ୍ରାମ ବୁରୋମୁଣ୍ଡା, ବରଗଡ଼ ଜିଲ୍ଲା କଟାବାହାଲଠାରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ, ଦେବଗଡ଼ ଜିଲ୍ଲା ଛାଲବାହାଦୁର ବନ୍ଧ ପୁନରୁଦ୍ଧାର, କଳାହାଣ୍ଡି ଜିଲ୍ଲା ମତ୍ସ୍ୟାଧିକାରୀଙ୍କ କାର୍ଯ୍ୟାଳୟ ଓ ବିମଳା କନଭେଣ୍ଟ ସ୍କୁଲ ନିକଟସ୍ଥ ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ, ସମ୍ବଲପୁର ଜିଲ୍ଲା କେଶେଇବାହାଲଠାରେ ନୂତନ ବହୁମୁଖୀ ହଲ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ବଲାଙ୍ଗୀର – କଳାହାଣ୍ଡି – ନୂଆପଡ଼ା ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦନ ସଂଘକୁ ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍ଧ ଟ୍ୟାଙ୍କର କ୍ରୟ ପାଇଁ ପରିଷଦ ତରଫରୁ ମଞ୍ଜୁର ହୋଇଥିବା ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି ।