ସ୍ମାର୍ଟ ହେଉଛି କ୍ଲାସରୁମ୍, ୫ ଜିଲ୍ଲାର ୪୪୯ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟରେ 5T ସ୍କୁଲ ରୂପାନ୍ତରଣର ଲୋକାର୍ପଣ । ଆଜି ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର ୪୫ ସୁନ୍ଦରଗଡ଼ ଜିଲ୍ଲାରେ ନୂଆରୂପ ପାଇଥିବା ୪୯ଟି ହାଇସ୍କୁଲର ଲୋକାର୍ପଣ କରାଯାଇଛି । 5T ଉପକ୍ରମରେ ଏହି ସ୍କୁଲଗୁଡ଼ିକୁ ରୂପାନ୍ତରିତ କରିଛନ୍ତି ରାଜ୍ୟ ସରକାର । କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । ଏ ଧାରଣାକୁ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5T ସ୍କୁଲ ମାଧ୍ୟମରେ ପିଲାଙ୍କ ପାଇଁ ତିଆରି ହୋଇଛି ବିରାଟ ସୁଯୋଗ । ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ଭିତ୍ତିଭୂମିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬ ହଜାର ୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।