୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର : ଆହୁରି ଅଧିକ ସୁଦୃଢ ହେବ ରାଜ୍ୟର ସ୍ବାସ୍ଥ୍ୟସେବା । ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ବିନିଯୋଗରେ ଏହି ଆମ୍ବୁଲାନ୍ସ କ୍ରୟ କରାଯାଇଛି । ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି ।
ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।