ସାର୍ବଜନୀନ ଟିକାକରଣ ପାଇଁ ୧୦ଟି ତାପ ସଂରକ୍ଷିତ ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ସାର୍ବଜନୀନ ଟିକାକରଣ ନିମନ୍ତେ ୧୦ଟି ତାପ ସଂରକ୍ଷିତ ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ୫ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପଣ କରିଛନ୍ତି । ଏଥିରେ ସମସ୍ତ ପ୍ରକାରର ନୂତନ ଜ୍ଞାନ କୌଶଳ ସଜ୍ଜିତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରକ୍ତଦାତାଙ୍କ ପାଇଁ ଶଯ୍ୟା, ରକ୍ତ ସଂରକ୍ଷଣ ରେଫ୍ରିଜରେଟର, ରକ୍ତ ସଂଗ୍ରହ ମନିଟର, ଅନ୍ୟାନ୍ୟ ଆନୁଷଙ୍ଗିକ ଯନ୍ତ୍ରପାତି ସହ ଜେନେରେଟର, ଇନଭର୍ଟରର ସୁବିଧା ରହିଛି ।

ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ ଟିକା ସଂରକ୍ଷଣ ଭଣ୍ଡାର ରହିଥିବା ବେଳେ ୩୦ ଜିଲ୍ଲାରେ ଟିକା ଗଚ୍ଛିତ କେନ୍ଦ୍ର ଓ ୧୯୯୦ଟି ନିରାପଦ ଶୀତଳୀକରଣ କେନ୍ଦ୍ର ରହିଛି । ଏହି ସମସ୍ତ ଟିକାର ନିରାପଦ ପରିବହନ ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ୧୦ଟି ତାପ ସଂରକ୍ଷିତ ଯାନ କ୍ରୟ କରାଯାଇଛି । ଏହାଦ୍ୱାରା ସମଗ୍ର ରାଜ୍ୟକୁ ସୁରୁଖୁରୁରେ ଟିକା ପରିବହନ କରାଯାଇପାରିବ । ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ବାଲେଶ୍ବର, ବଲାଙ୍ଗିର, ବ୍ରହ୍ମପୁର, ଭୁବନେଶ୍ବର, କଟକ, କୋରାପୁଟ, ଫୁଲବାଣୀ, ସମ୍ୱଲପୁର ଏବଂ ସୁନ୍ଦରଗଡ଼ରେ ଅବସ୍ଥାପିତ କରାଯିବ । ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନସୁଦୂର ଗ୍ରାମଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ଓ ରକ୍ତ ସଂଗ୍ରହ ପାଇଁ ରକ୍ତ ସଂରକ୍ଷଣ ଯାନ ବିଭିନ୍ନ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି ।