ମୁଖ୍ୟମନ୍ତ୍ରୀଙ୍କ ବିଭାଗ ୮ ମାସ ହେଲା ସ୍ଥାଣୁ, ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଆନ୍ତଃ ନଦୀ ଜଳଭଣ୍ଡାର ପ୍ରକଳ୍ପ କାମ ଠପ୍!
1 min read
ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବିଭାଗ । ଖର୍ଚ୍ଚ ହୋଇପାରୁନି ବଜେଟ୍ ଅର୍ଥ । ସରକାର ପରିବର୍ତ୍ତନର ୮ ମାସ ପରେ ବି କାମ ଠପ୍ । କୋମାରେ କି ଜଳ ସମ୍ପଦ ବିଭାଗ ! ଗ୍ରୀଷ୍ମ ଆରମ୍ଭରୁ ଶୁଖିଗଲାଣି ନଦୀ ନାଳ । ଦେଖାଦେଳାଣି ଜଳ ସଂକଟ । ଆଗକୁ ସ୍ଥିତି ଅସମ୍ଭାଳ ଥୟ । ମେଗା ଜଳସେଚନ ପ୍ରକଳ୍ପ କଥା ଦୂରେ ଥାଉ । ଆଗେଇପାରୁନି ଚାଲୁ ରହିଥିବା ଆନ୍ତଃନଦୀ ଜଳାଶୟ ପ୍ରକଳ୍ପ କାମ । କେମିତି ହେବ ଜଳସଂକଟ ମୁକାବିଲା ? ଚିନ୍ତାରେ ଚାଷୀ ଓ ସାଧାରଣ ଲୋକେ । ସ୍ଥିତି ଏମିତି ହେଲାଣି ରାଜଧାନୀ ସମେତ ସବୁ ସହରାଞ୍ଚଳକୁ ଖରାଦିନେ ପାଣି ଯୋଗାଇବା ମୁସ୍କିଲ ହେବାକୁ ଯାଉଛି । ଉଦବେଗ ପ୍ରକାଶ କଲେଣି ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ଓ ନାଗରିକ ସୁରକ୍ଷା ମଞ୍ଚ । ଅଭିଯୋଗ ହୋଇଛି, ଏବର ମୁଖ୍ୟମନ୍ତ୍ରୀ ବିରୋଧୀ ଭୂମିକାରେ ଥିଲାବେଳେ ତତ୍କାଳୀନ ସରକାରଙ୍କ ବିରୋଧରେ ବିଧାନସଭାରେ ଗଳାଫଟେଇ ଗର୍ଜୁଥିଲେ । ଏବେ ନିଜେ ଶାସନର ମୁଖିଆ ହେବାରୁ ଲୋକଙ୍କ ଦରଦ କଣ ଶୁଣିପାରୁନାହନ୍ତି ? କାହିଁକି ଚଳଚଞ୍ଚଳ ହୋଇପାରୁନି ଜଳସମ୍ପଦ ବିଭାଗ ? ବିସ୍ଥାପିତ ସମସ୍ୟା ଓ ଜଳ ସଂକଟ ଦୂର କରିବାକୁ ନବୀନ ସରକାର ୭୨ଟି ଆନ୍ତଃନଦୀ ଜଳାଶୟ ନିର୍ମାଣ ପାଇଁ କାମ ଆରମ୍ଭ କରିଥିଲେ । ହେଲେ ସରକାର ପରିବର୍ତ୍ତନ ପରେ କାମ ସବୁ ଅଧପନ୍ତରିଆ ପଡ଼ିରହିଛି । ବଲାଙ୍ଗୀର ଲୋୟର ସୁକତେଲ ଓ ହେଉ କି ବରଗଡ଼ ଗଙ୍ଗାଧର ମେହେର ମେଗା ଉଠାଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିଲା ତତ୍କାଳୀନ ସରକାରଙ୍କ ସମୟରେ ।
ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲରେ ଝୁଲିଛି । ଟ୍ରିବ୍ୟୁନାଲର ରାୟକୁ ଅପେକ୍ଷା ନ କରି ଏବେ ସରକାର ଚାହିଁଲେ ମହାନଦୀରେ ଏକାଧିକ ଆନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ କରିପାରିବେ । ଯଦି ନଦୀ ପଠାରେ କିଛି ବିସ୍ଥାପିତ ସମସ୍ୟା ଉପୁଜେ ତାହେଲ ସେଥିପାଇଁ ସରକାର କ୍ଷତିପୂରଣ ଦେଇପାରିବେ । ଏପରି କଲେ କେବଳ ମହାନଦୀ ହିଁ ଜଳ ସଂକଟ ଦୂର କରିବାରେ ବଡ଼ ସହାୟକ ହୋଇପାରିବ । ଟ୍ରିପଲ ଇଞ୍ଜିନ ସରକାର ଜଳ ସମସ୍ୟାର ସମାଧାନ କରିପାରିବେ । କେନ୍ଦ୍ର ସରକାର ସହଯୋଗ କଲେ ଛତିଶଗଡ଼ ସରକାରଙ୍କ ସହ ଆପୋଷ ଆଲୋଚନାରେ ବି ମହାନଦୀ ଜଳ ବିବାଦର ସମାଧାନ ବାହାରିପାରିବ । ଆଉ ତାକୁ ଟ୍ରିବ୍ୟୁନାଲ ଗ୍ରହଣ କରିବାରେ ଅସୁବିଧା ହେବନି । ୨୦୨୪-୨୫ ଆର୍ଥିକ ବର୍ଷରେ ବିଭାଗର ସଂଶୋଧିତ ବ୍ୟୟ ଅଟକଳ ୧୦ ହଜାର ୪୧୬ କୋଟି ୩୭ ହଜାର ଥିଲା । କିନ୍ତୁ ତୃତୀୟ କ୍ବାର୍ଟର ସୁଦ୍ଧା ମାତ୍ର ୫୪ ପ୍ରତିଶତ ଖର୍ଚ୍ଚ ହୋଇପାରିଛି । ଯାହାକି ଅତି ନଗଣ୍ୟ ।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଜଳ ସମ୍ପଦ ବିଭାଗ ପାଇଁ ୧୨ ହଜାର କୋଟିର ବଜେଟ୍ । ଖୋଦ ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି ମଧ୍ୟ ଜଳ ସଂକଟ ଦୂର କରିବା ପାଇଁ ଆଇଏସ୍ଏସ୍ ନିର୍ମାଣ କାମ ତ୍ବାରାନ୍ବିତ କରିବାକୁ ସୁପାରିସ କରିଛି । ହେଲେ ଏ ସରକାର ତାକୁ ଗୁରୁତ୍ବ ଦେଇ କାମ କଲେ ତ?