ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ଆଓ୍ୱାର୍ଡ: ସ୍ୱଚ୍ଛତା ନେଇ ହେବ ପ୍ରତିଯୋଗିତା

1 min read

ଭୁବନେଶ୍ୱର: ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ୱଚ୍ଛା ସହର ଆଓ୍ୱାର୍ଡ ପ୍ରତିଯୋଗିତା । ସ୍ୱଚ୍ଛତାକୁ ନେଇ ରାଜ୍ୟର ସବୁ ଏନ୍ଏସି, ପୌରସଂସ୍ଥା ଓ ସ୍ମାର୍ଟସିଟି ଭିତରେ ହେବ ପ୍ରତିଯୋଗିତା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଟ୍ରଫି ଓ ଆର୍ଥିକ ପୁରସ୍କାର ସହିତ ସମ୍ମାନିତ କରାଯିବ କୃତି ସଂସ୍ଥାକୁ । ଜାତୀୟ ସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ପୂର୍ବରୁ ଏହି ପ୍ରତିଯୋଗିତା ରାଜ୍ୟସ୍ତରରେ ହେଉଥିବାରୁ ପ୍ରସ୍ତୁତି ପାଇଁ ସମସ୍ତଙ୍କୁ ବେଶ୍ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି । ଏଭଳି ପ୍ରତିଯୋଗିତା ଆୟୋଜନ ସହ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ ରହିଛି ।

ସ୍ୱଚ୍ଛତା ନେଇ ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୁରସ୍କୃତ ହୋଇଛି । ଇଣ୍ଡିଆ ଟୁଡେ ମ୍ୟାଗାଜିନ୍ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପ୍ରତିଯୋଗିତା କନ୍‌କ୍ଳେଭ୍ (ଷ୍ଟେଟ ଅଫ୍ ଷ୍ଟେଟସ୍ କନକ୍ଳେଭ୍-୨୦୧୯)ରେ ଓଡ଼ିଶା ଚାମ୍ପିଅନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀର ମୌର୍ଯ୍ୟ ହୋଟେଲରେ ଅନୁଷ୍ଠିତ ଏହି କନକ୍ଲେଭରେ ଯୋଗ ଦେଇ ନପାରିଥିବାରୁ ପଞ୍ଚାୟତିରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଚାମ୍ପିଅନ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ନୀତି ସମ୍ପର୍କରେ କହିଥିଲେ । ତାଙ୍କ ସଫଳ ନେତୃତ୍ୱ ଦ୍ୱାରା ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଥିବା ସେ କହିଥିଲେ ।

ଏଥିସହିତ ପଢ଼ନ୍ତୁ: କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର, ପ୍ରକ୍ରିୟା ଆରମ୍ଭ

Leave a Reply