କୁକୁଡ଼ା ଚାଷୀଙ୍କ ପାଇଁ ଖୁସି ଖବର: ଏଣିକି କୁକୁଡ଼ା ପାଳନ ହେବ ବୀମାଭୁକ୍ତ

କୁକୁଡ଼ା ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି କୁକୁଡ଼ା ପାଳନ ହେବ ବୀମାଭୁକ୍ତ । ଚାଷୀଙ୍କୁ ମିଳିବ ଆର୍ଥିକ ପ୍ରୋତ୍ସାହନ । କୁକୁଡ଼ା ଓ ଅଣ୍ଡା ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ଭୁବନେଶ୍ୱର ଭେଟେନାରୀ ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଭାରତ ପୋଲଟ୍ରି ଏକ୍ସପୋ ୨୦୨୫ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ୭୫ କମ୍ପାନୀ ସାମିଲ ହୋଇ ନିଜ ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ କମ୍ପାନୀର କୁକୁଡ଼ା ଫାର୍ମରେ ବ୍ୟବହୃତ ଅତ୍ୟଧୁନିକ ଯନ୍ତ୍ରପାତି, ଗ୍ୟାସ, ବ୍ୟାଟେରୀ, ଇଲୋକ୍ଟ୍ରୋନିକ ଲାଇଟ, ସେନ୍ସର, ଦାନା ମେସିନ ଆଦି ପ୍ରଦର୍ଶିତ ହୋଇଛି । କୁକୁଡ଼ା, ବତକ ଚାଷ ପାଇଁ ଅତ୍ୟଧୁନିକ ଜ୍ଞାନକୌଶଳ ନେଇ ମିଳୁଛି ଶିକ୍ଷା । ବିଭିନ୍ନ ରାଜ୍ୟର କମ୍ପାନୀ, ବଡ଼ ଫାର୍ମ, କୃଷି ବିଶେଷଜ୍ଞ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ସାମିଲ ହୋଇ ଅତ୍ୟାଧୁନିକ ପ୍ରଣାଳିରେ କିପରି କୁକୁଡ଼ା ଚାଷ କରି ଚାଷୀ ଲାଭବାନ ହେବେ ସେନେଇ ଜ୍ଞାନ ଆହରଣ କରିଛନ୍ତି ।
ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଏକ୍ସପୋ ୩ ଦିନ ଧରି ଚାଲିବ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ବିଶେଷକରି ଓଡିଶାରେ କୁକୁଡ଼ା ଚାଷକୁ ବୀମାଭୁକ୍ତ କରିବା ଓ ଚାଷୀଙ୍କୁ ଅଧିକ ସବସିଡି ପ୍ରଦାନ ନେଇ ସରକାର ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ । ଏପରି ଏକ ଏକ୍ସପୋ କୁକୁଡ଼ା ଚାଷୀଙ୍କୁ ସହାୟକ ହେବ ବୋଲି କହିଛନ୍ତି ଓୟୁଏଟି କୁଳପତି ।