ନବେ ଦଶକର କୋରାପୁଟିଆ ଗୀତ, ଏବେ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ

1 min read

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ଛି ଛି ଛିରେ ନନୀ ଛି ଗୀତ । କୋରାପୁଟିଆ ଭାଷାରେ ପ୍ରସ୍ତୁତ ଏହି ଗୀତ ଏବେ  ଖୁବ୍ ଲୋକପ୍ରିୟ ହୋଇଛି । 15 ଦିନ ଭିତରେ ଗୀତ ଟି ୪ଲକ୍ଷରୁ ଅଧିକ ହିଟ୍ କରି ସାରିଲାଣି । 1995 ମସିହାର ଅଡିଓ ଆଲବମ୍- ବାଲିଫୁଲ୍ ବେଶ୍ ଚହଳ ପକାଇଥିଲା ।  ଗାୟକ ସତ୍ଯନାରାୟଣ ଅଧିକାରୀଙ୍କ ରଚିତ ଓ ସ୍ବର ସଂଯୋଜନା ଅତି ଚମତ୍କାର ହୋଇଥିବା ବେଳେ ଗୀତଟି ଏବେ ସବୁବର୍ଗର ଲୋକଙ୍କ ପସନ୍ଦ ହୋଇପାରିଛି ।

ନବେ ଦଶକର କୋରାପୁଟିଆ ଗୀତ ଛି ଛି ଛି ରେ ନନୀ ଛି, ଗୀତ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କୋରାପୁଟିଆ ଅଡିଓ ଆଲବମ୍ ବାଲିଫୁଲର ଏହି ଗୀତଟି, ପ୍ରେମ ଓ ବିରହର କଥା କହୁଛି । କାମ ପାଇଁ ବାହାରକୁ ଯାଇଥିବା ପ୍ରେମିକକୁ ଅପେକ୍ଷା ନକରି ପ୍ରେମିକା ଅନ୍ୟ ଜଣକୁ ଭଲ ପାଇଯାଇଛି । ଦୁଃଖ ଓ ତାତ୍ସଲ୍ୟ ଭରା ଏହି ଗୀତ ଟି ସେତେବେଳେ ବେଶ୍ ଲୋକପ୍ରିୟତା ହାସ କରିପାରିଥିଲା । ଗୀତଟି ଗାଇଥିଲେ ସ୍ବର୍ଗତ ସତ୍ଯନାରାୟଣ ଅଧିକାରୀ । ୩୦ ବର୍ଷ ପରେ ମଧ୍ୟ ଏହି ଗୀତଟି ସେହି ଲୋକପ୍ରିୟତା ବଜାୟ ରଖି ପାରିଛି ।

ବାଲିଫୁଲ ହେଉଛି ଏକ ପବିତ୍ର ସଂପର୍କ । କାଳ କାଳର ବନ୍ଧୁତ୍ବ ଲାଗି ବାଲିଯାତ୍ରା ସମୟରେ ବାଲିଫୁଲ ବନ୍ଧା ଯାଇଥାଏ । ବାଲିଫୁଲ ବନ୍ଧା ହୋଇଥିଲେ ମଧ୍ୟ ପ୍ରେମିକା, ପ୍ରେମିକର ଫେରିବାକୁ ଅପେକ୍ଷା ନକରି,ଆଉ କାହାର ହୋଇଯାଇଥିଲା ।   କୋରାପୁଟର ଲୋକ ସଂସ୍କୃତି ସହ ଲୋକ କଳାକୁ ଗୋଟିଏ ଗୀତରେ ସ୍ଥାନ ଦେଇଥିବାରୁ ଏହି ଗୀତର ଲୋକପ୍ରିୟତା ବଢିଛି । ୩୦ବର୍ଷ ତଳେ ଅଡିଓ କ୍ୟାସେଟରେ ରିଲିଜ ହୋଇଥିବା ଏହି ଗୀତ ସିରିଜର ନାମ ଥିଲା ବାଲିଫୁଲ । ସେହି ସମୟରେ ଏହି ଗୀତ ଲାଗି କଳାକାରମାନେ ପରିଶ୍ରମ କରିଥିଲେ । ଗୀତର ଟ୍ଯୁନ୍ ଏପରି ରହିଛି ଯେ, ଆଜି ମଧ୍ୟ ଯୁବକଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଗୀତ ଟିକୁ ଆଦରି ନେଇଛନ୍ତି।କୋରାପୁଟର ଲୋକକଳା,ଲୋକବାଦ୍ୟ ଓ ଲୋକ ସଂସ୍କୃତି ଅନନ୍ୟ । ସବୁଠି ବଡକଥା ହେଲା କୋରାପୁଟିଆ ଦେଶୀଆ ଗୀତର ଟ୍ଯୁନ୍ ଶୁଣିଲେ ଲାଗୁଛି ରାଜ୍ଯର ଏହି ଲୋକସଂଗୀତ ନିଜସ୍ବ କଳାକୁ ଆଜି ମଧ୍ୟ ବଂଚାଇ ରଖିଛି ।