ମହାନଦୀ ଜଳ ବିବାଦ ମାମଲା: ତଥ୍ୟ ଦେବାକୁ ଛତିଶଗଡ଼ ମାଗିଲା ସମୟ

Mahanadi

ଭୁବନେଶ୍ୱର: ମହାନଦୀ ଜଳବିବାଦ ମାମଲାରେ ଶନିବାରର ଶୁଣାଣି ଶେଷ ହୋଇଛି । ଆସନ୍ତା ୫ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ୨ ରାଜ୍ୟ ମଧ୍ୟରେ ମିଳିତ ବିବୃତ୍ତିରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଅନ୍ୟପଟେ ଶନିବାର ମଧ୍ୟ ଓଡ଼ିଶାକୁ ମହାନଦୀ ଜଳପ୍ରବାହ ନେଇ ତଥ୍ୟ ଦେଇନି ଛତିଶଗଡ଼ । ତଥ୍ୟ ପ୍ରଦାନ ପାଇଁ ପୁଣିଥରେ ମହାନଦୀ ଟ୍ରିବ୍ୟୁନାଲକୁ ଛତିଶଗଡ଼ ସମୟ ମାଗିଛି ।

ତେବେ ମହାନଦୀ ଜଳବିବାଦକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି । କେନ୍ଦ୍ରରେ ଯେଉଁ ଦଳ ସରକାରକୁ ଆସୁଛି ସେ ଓଡ଼ିଶାକୁ ଉପେକ୍ଷା କରୁଛନ୍ତି ବୋଲି ଶାସକ ବିଜୁ ଜନତା ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ।

ରାଜ୍ୟ ସରକାର ଛତିଶଗଡ଼ର ବେଆଇନ୍‌ କାମ ବିରୋଧରେ ଟ୍ରିବ୍ୟୁନାଲରେ ଲଢ଼େଇ ଜାରି ରଖିବେ ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷ ଠେଲିଛନ୍ତି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଛତିଶଗଡ଼ରେ କଂଗ୍ରେସ ଶାସନ ଚାଲିଛି । ତେଣୁ କଂଗ୍ରେସ ସମାଧାନର ବାଟ ବାହାର କରୁ ବୋଲି ବିଜେପି କହିଛି । ସେହିପରି ଏ ପ୍ରସଙ୍ଗରେ ଦଳ ନିଜ ଦୋଷ ଲୁଚାଇ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କିନ୍ତୁ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି, ଛତିଶଗଡ଼ ସରକାର ତାଙ୍କ ରାଜ୍ୟ ପାଇଁ ବ୍ୟବସ୍ଥା କରିଛନ୍ତି । ଆମକୁ ଓଡ଼ିଶାବାସୀ ଦାୟିତ୍ୱ ଦେଇନାହାନ୍ତି, ଆମେ କେମିତି ସମାଧାନ କରିବୁ, ବରଂ ମୁଖ୍ୟମନ୍ତ୍ରୀ ଏନେଇ ଲଢେଇ କଲେ ଆମେ ସମର୍ଥନ କରିବୁ ବୋଲି ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ।

Leave a Reply