ଦାନ୍ତେଓ୍ବାଡାରେ ଯବାନ ସହିଦ ଘଟଣା; ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠୁଛି ପ୍ରଶ୍ନ

ଦାନ୍ତେଓ୍ବାଡା: ଛତିଶଗଡ଼ର ଦାନ୍ତେଓ୍ବାଡାରେ ମାଓବାଦୀ ଆକ୍ରମଣରେ ଯବାନ ସହିଦ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ସେହି ରାସ୍ତାରେ ଯବାନ ଆସୁଥିବା ଜାଣି ମଧ୍ୟ କାହିଁକି ସତର୍କ ନଥିଲା ପୋଲିସ ପ୍ରଶାସନ। ଯବାନଙ୍କ ପାଇଁ ସେହି ରାସ୍ତାକୁ କାହିଁକି ସୁରକ୍ଷିତ କରାଯାଇନଥିଲା। ପୋଲିସ ସୁରକ୍ଷା ଫେଲ ମାରିବାରୁ ୧୦ ଜଣ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଛି ।

ଡିଆରଜି ଯବାନଙ୍କ ପାଇଁ ଗାଡିର ବ୍ୟବସ୍ଥା ହୋଇନଥିବା ବେଳେ ଭଡ଼ା ଗାଡିରେ ଦାନ୍ତେଓ୍ବାଡା ଆସୁଥିଲେ ଯବାନ। ମାଓବାଦୀ ଦମନ ଅଭିଯାନ ସାରି ଯବାନ ମାନେ ଫେରୁଥିବା ବେଳେ ସେମାନଙ୍କୁ କାହିଁକି ସୁରକ୍ଷା ଦିଆଯାଇନଥିଲା ବୋଲି ପ୍ରଶ୍ନ ଉଠିଛି? ଗତକାଲି ଛତିଶଗଡ଼ର ଅରନପୁରରେ ମାଓବାଦୀଙ୍କ ଆଇଇଡି ଆକ୍ରମଣରେ ୧୦ ଯବାନ ସହିଦ ହୋଇଛନ୍ତି । ଦରଭା ଡିଭିଜନର ପୁରୁହିଡିମା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ମିଳିଥିଲା ।

ସିଆରପିଏଫର ଡିଆରଜି ଯବାନ ଏକ ଗୁପ୍ତ ଅପରେସନ ଆରମ୍ଭ କରିବା ସହ ସଫଳ ମଧ୍ୟ ହୋଇଥିଲେ। ସେଠାରୁ ଡିଆରଜି ଯବାନ ଏକ ଭଡ଼ା ଗାଡିରେ ଦାନ୍ତେଓ୍ବାଡା ଫେରୁଥିବା ବେଳେ ଅରନପୁର ନିକଟରେ ମାଓବାଦୀ ବିଛାଇଥିବା ଜାଲରେ ପଡ଼ିଯାଇଥିଲେ। ୫୦ କିଲୋ ଆଇଇଡି ବ୍ଲାଷ୍ଟ ଯୋଗୁଁ ଗାଡି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିଲା ।

ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୨୦ ଫୁଟ ଦୂରକୁ ଗାଡ଼ି ଉଡ଼ିଯାଇଥିଲା । ଆଖପାଖରେ ଥିବା ଗଛ ଗୁଡିକ ସମ୍ପୂର୍ଣ୍ଣ ଉପୁଡି ଯାଇଥିଲା । ଘଟଣାସ୍ଥଳରୁ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପୂରା ଅଞ୍ଚଳରେ ସିଆରପିଏଫ ଯବାନ କମ୍ବିଂ ଅପରେସନ କରିଛନ୍ତି ।