ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ହତ୍ୟା ମାମଲା; ନିଜ ପୁତୁରା ସମେତ ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନିଜ ପୁତୁରା ହିଁ ଥିଲା ହତ୍ୟାକାରୀ । ରୀତେଶ ଚନ୍ଦ୍ରକାରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ୨୮ ବର୍ଷ ବୟସ୍କ ମୁକେଶଙ୍କ ମୃତଦେହ ଏକ ସେପ୍ଟିକ ଟ୍ୟାଙ୍କରୁ ମିଳିବା ପରେ ରାଜ୍ୟରେ ସୃଷ୍ଟି ହୋଇଥିଲା ହଇଚଇ ।

ସୂଚନା ଅନୁଯାୟୀ, ବସ୍ତର ଅଞ୍ଚଳର ଗଙ୍ଗାଳୁରୁରୁ ହିରୋଲି ୧୨୦କୋଟି ଟଙ୍କାର ସଡ଼କ ନିର୍ମାଣ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ପଦାକୁ ଆଣିଥିଲେ ମୁକେଶ। ପ୍ରଥମେ ଏହି ପ୍ରକଳ୍ପର ମୂଲ୍ୟ ୫୦ କୋଟି ଟଙ୍କା ଥିବାବେଳେ ପରେ ଏହାକୁ ୧୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଠିକାଦାର ସୁରେଶ ଚନ୍ଦ୍ରକାର ଏହି କାମ ନେଇଥିଲେ। ମୁକେଶଙ୍କ ଅନୁସନ୍ଧାନମୂଳକ ରିପୋର୍ଟ ଯୋଗୁ ଏହି ଦୁର୍ନୀତିର ତଦନ୍ତ ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ । ରୀତେଶ ହେଉଛି ସୁରେଶ ଚନ୍ଦ୍ରକାରର ଭାଇ । ଜାନୁଆରୀ ୧ରେ ସେମାନେ ମୁକେଶଙ୍କୁ ଡାକିଥିଲେ । ସେଠାରେ ପହଞ୍ଚିବା ପରେ ମୁକେଶଙ୍କ ମୋବାଇଲ ସୁଇଚ ଅଫ ହୋଇଯାଇଥିଲା । ପରେ ସେ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ ମୁକେଶଙ୍କ ବଡ଼ଭାଇ ଯୁକେଶ । ଦୁଇ ଦିନ ପରେ ମୁକେଶଙ୍କ ମୃତହେବ ଚତ୍ତନପଡ଼ାସ୍ଥିତ ସୁରେଶଙ୍କ ମାଲିକାନାରେ ଥିବା ଜାଗାର ଏକ ସେପ୍ଟିକ ଟ୍ଯାଙ୍କରୁ ମିଳିଥିଲା । ହତ୍ୟା ଘଟଣାରେ ରୀତେଶ ଚନ୍ଦ୍ରକାର, ସୁପରଭାଇଜର ମହେନ୍ଦ୍ର ରାମତେକେ ଓ ଦୀନେଶ ଚନ୍ଦ୍ରକାରକୁ ଗିରଫ କରାଯାଇଛି । ଚତୁର୍ଥ ଅଭିଯୁକ୍ତ ସୁରେଶ ଚନ୍ଦ୍ରକାରକୁ ପୋଲିସ ଖୋଜୁଛି ।

ସାମ୍ବାଦିକଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି । ପୋଲିସ ଏହି ଘଟଣାରେ ସୁରେଶଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି । ପୋଷ୍ଟମର୍ଟମରୁ ସୂଚନା ମିଳିଛି ମୁକେଶଙ୍କ ମୁଣ୍ଡ, ପିଠି, ପେଟ ଓ ଛାତିରେ ଗୁରୁତର ଆଘାତ ଲାଗିଥିଲା । ଏହି ଘଟଣା ପରେ ରାୟପୁର ପ୍ରେସ କ୍ଲବ ପକ୍ଷରୁ ପ୍ରତିବାଦ କରାଯାଇଛି । ୨୦୧୨ରେ ମୁକେଶ କ୍ୟାରିୟର ଆରମ୍ଭ କରିଥିଲେ ପରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ବସ୍ତର ଜଙ୍କସନ ତିଆରି କରିଥିଲେ । ତାହାର ସବସ୍କ୍ରାଇବର ସଂଖ୍ୟା ଥିଲା ୫୯ ଲକ୍ଷ । ତାଙ୍କ ନିଜ ଗ୍ରାମ ଥିଲା ବିଜାପୁରର ବାସାଗୁଡା ଗାଁ । ନିର୍ଭୀକ ରିପୋର୍ଟିଂରେ ସେ ଖ୍ୟାତି ଅର୍ଜନ କରିଥିଲେ । ସେପଟେ ସୁରେଶଙ୍କ ମାଲିକାନାରେ ଥିବା ଏକ ଜମିକୁ ଜବତ କରିଛି ପ୍ରଶାସନ।