କଲମା ବ୍ୟାରେଜର ଗେଟ୍ ଫୁଟେ ଖୋଲିଛି ଛତିଶଗଡ଼, ଛାଡୁନି ପାଣି

ଭୁବନେଶ୍ବର: ଛତିଶଗଡ଼ର ଚାଲାକି । କଲମା ବ୍ଯାରେଜର ୨୦ଟି ଗେଟ୍ ଖୋଲିଛି ସିନା, କିନ୍ତୁ ପୂରା ଖୋଲି ନାହିଁ । ଗେଟକୁ ମାତ୍ର ଗୋଟିଏ ଫୁଟ୍ ଉପରକୁ ଉଠାଯାଇଛି । ଅର୍ଥାତ ଗୋଟିଏ ଗେଟରେ ଯେତେ ପାଣି ଆସିବା କଥା, ସେତିକି ଆସୁ ନାହିଁ । ଯେତେ ପାଣି ଛତିଶଗଡ଼ ଛାଡ଼ିବା କଥା ସେତିକି ଛାଡୁ ନଥିବାରୁ ଶୁଖିଲା ପଡ଼ିଛି ଓଡ଼ିଶାର ଜୀବନ ରେଖା ମହାନଦୀ ଓ ହୀରାକୁଦ ଡ୍ଯାମ । ତେଣୁ ଛତିଶଗଡ଼ ସହିତ ଜଳ ବିବାଦର ସ୍ଥାୟୀ ସମାଧାନ ଦାବି କରାଯାଇଛି ।

ଆଷାଢ଼ ମାସରେ ଶୁଖିଲା ପଡ଼ିଛି ମହାନଦୀ । ଉଭୟ ଉପର ମୁଣ୍ଡରେ ଓ ତଳ ମୁଣ୍ଡରେ ଶୁଖି ଯାଇଛି ଓଡ଼ିଶାର ସବୁଠୁ ବଡ଼ ନଦୀ । ଏହା ହେଉଛି ସମ୍ବଲପୁରରେ ମହାନଦୀର ଦୃଶ୍ଯ । କେବଳ ଯେ, ମହାନଦୀରେ ପାଣି କମ୍ ଅଛି ତାହା ନୁହେଁ, ହୀରାକୁଦ ଡ୍ଯାମରେ ମଧ୍ଯ ପାଣି କମ୍ । ଡ୍ଯାମର ମୁଖ୍ଯ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ହୀରାକୁଦର ଜଳସ୍ତର ଏବେ ରହିଛି ୬୦୦.୦୨ ଫୁଟ୍ । କିନ୍ତୁ ଏହି ସମୟରେ ଗତ ବର୍ଷ ହୀରାକୁଦର ଜଳସ୍ତର ଥିଲା ୬୦୭.୫୨ ଫୁଟ । ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ପ୍ରାୟ ୭ ଫୁଟ କମ୍ ପାଣି ଅଛି ହୀରାକୁଦ ଡ୍ଯାମରେ । ଏହାର ମୁଖ୍ଯ କାରଣ ହେଉଛି ଛତିଶଗଡ଼ ଯେତେ ପାଣି ଛାଡ଼ିବା କଥା ସେତେ ପାଣି ଛାଡୁ ନାହିଁ । କଲମା ଡ୍ଯାମର ଗେଟ୍ ଖୋଲିଛି ସିନା, ତାହା ନାମକୁ ମାତ୍ର । ପୂରା ଗେଟ୍ ନ ଖୋଲି ଆଂଶିକ ଭାବେ ଉପରକୁ ମାତ୍ର ଏକ ଫୁଟ୍ ଖୋଲିଥିବାରୁ ହୀରାକୁଦକୁ ଯଥେଷ୍ଟ ପାଣି ଆସି ପାରୁନାହିଁ ।

ବେଶ କିଛି ବର୍ଷ ହେଲା ମହାନଦୀ ଜଳକୁ ନେଇ ଓଡି଼ଶା ଏବଂ ଛତିଶଗଡ଼ ମଧ୍ଯରେ ଲାଗି ରହିଛି ବିବାଦ । ଟ୍ରିବ୍ଯୁନାଲ ବି ଗଠନ ହୋଇଛି, କିନ୍ତୁ ସମାଧାନ ବାହାରି ପାରିନାହିଁ । ବର୍ଷା ସତ୍ତ୍ବେ ମୌସୁମୀ ସମୟରେ ବ୍ୟାରେଜରୁ ଛତିଶଗଡ଼ ଯେତେ ପାଣି ଛାଡ଼ିବା କଥା ଛାଡିଥିବା ଅଭିଯୋଗ ହୋଇଛି । ଓଡି଼ଶାକୁ ଭୁଆଁ ବୁଲାଇ କଲମା ବ୍ଯାରେଜର ଗେଟ୍ ଆଂଶିକ ଭାବେ ଖୋଲିଛି । ଏହାଦ୍ଵାରା ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିବାଦର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ସମ୍ବଲପୁରବାସୀ ।

ମହାନଦୀ ହେଉଛି ଓଡି଼ଶାର ଜୀବନ ରେଖା । ଛତିଶଗଡ଼ରୁ ବାହାରିଥିଲେ ମଧ୍ଯ ଓଡି଼ଶାରେ ଅନେକ ଜିଲ୍ଲା ଦେଇ ଏହା ପ୍ରବାହିତ ହୋଇ ଲୋକଙ୍କ ଜୀବନ ଜୀବିକା ସହିତ ଜଡ଼ିତ । ହେଲେ ଛତିଶଗଡ଼ର ଦାଦାଗିରି ପାଇଁ ଏବେ ମହାନଦୀ ଅବବାହିକାରେ ରହୁଥିବା ଓଡ଼ିଶାବାସୀ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଲାଣି ।