ଛତିଶଗଡ଼ରେ ଭୟଙ୍କର ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ବସ୍, ୭ ମୃତ

ରାୟପୁର: ଛତିଶଗଡ଼ରେ ଭୟଙ୍କର ଦୁର୍ଘଟଣା । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ । ସୂଚନାନୁଯାୟୀ ଛତିଶଗଡର ରାୟପୁରରୁ ରେଣୁକୁଟ ଯାଉଥିବା ବସ୍ ସୋମବାର ଭୋର ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । କୋରବା ନିକଟରେ ଦ୍ରୁତ ଗତିରେ ଯାଉଥିବା ଏହି ଯାତ୍ରୀବାହୀ ବସଟି ରାସ୍ତା କଡ଼େ ଛିଡା ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୨ ଶିଶୁ ଏବଂ ୨ ମହିଳା ମଧ୍ୟ ସାମିଲ ଅଛନ୍ତି ।

୧୨ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ସୂଚନା ପାଇ ପୋଲିସ ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ପହଞ୍ଚାଇଛି । ଏପର୍ଯ୍ୟନ୍ତ ସୁଦ୍ଧା ମୃତକଙ୍କ ଚିହ୍ନଟ ହୋଇନାହାଇଁ । ଦୁର୍ଘଟଣା ଟି ବାଙ୍ଗୋ ଥାନା ଅଞ୍ଚଳରେ ହୋଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦୁର୍ଘଟଣାରେ ହୋଇଥିବା ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ଆବଶ୍ୟକ ସହଯୋଗ ଏବଂ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।