spot_img

Latest Posts

ଆଜି ଅନୁଷ୍ଠିତ ହେବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ଆଜି ଅନୁଷ୍ଠିତ ହେବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ଏବଂ ନୀତି ସବକମିଟିର ଯୁଗ୍ମ ବୈଠକ l ବୈଠକରେ ଆସନ୍ତା ମାର୍ଚ୍ଚମାସ ୨ ତାରିଖରେ ମେଣ୍ଢାପୋଡି ନୀତି ଓ ଆସନ୍ତା ୩ ତାରିଖରେ ଦୋଳପୂର୍ଣ୍ଣିମା ନୀତି ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବ । ମାର୍ଚ୍ଚ ମାସ ୩ ତାରିଖରେ ଦୋଳପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଦୋଳପୂର୍ଣ୍ଣିମା ଦିନ ଅର୍ଥାତ ମାର୍ଚ୍ଚ ୩ ତାରିଖରେ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି । କେବଳ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି କରାଯିବ ।

ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତିରୁ ଶ୍ରୀମନ୍ଦିର ଦ୍ୱାରଫିଟା ଯିବ । ତେଣୁ ଦୋଳପୂର୍ଣ୍ଣିମା ପୂର୍ବଦିନ କେତେଟାରେ ଦ୍ୱାରଫିଟା କରାଯାଇ ନୀତି ବଢିବ ସେନେଇ ଯୁଗ୍ମ ବୈଠକରେ ବିସ୍ତୃତ ଆଲୋଚନା କରାଯିବ । ସେପଟେ ଦୋଳପୂର୍ଣ୍ଣିମାରେ ଦିନ ପରିବର୍ତ୍ତେ ରାତିରେ ମହାପ୍ରଭୁଙ୍କ ସୁନାବେଶ, ଦୋଳବେଦୀକୁ ଦିଅଁ ବିଜେ ନୀତି ଥିବାରୁ ବୈଠକରେ ସମୟସୀମା ଚୂଡାନ୍ତ କରାଯିବ । ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଖୁବଶୀଘ୍ର ଅଳଙ୍କାର ଗଣତିମଣତି ହେବାକୁ ଥିବାବେଳେ ଏହା ଉପରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯିବ । ବୈଠକରେ ଛତିଶାନିଯୋଗର ମହାନାୟକ,ଜିଲ୍ଲାପାଳ, ଏସପି,ସମସ୍ତ ନିଯୋଗର ସେବାୟତ ପ୍ରତିନିଧି, ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ।

Latest Posts

Don't Miss