ଷ୍ଟିଙ୍ଗ୍ ଅପରେସନରେ ଗୁମର ଖୋଲିଲେ ଚେତନ ଶର୍ମା, କହିଲେ ଇଞ୍ଜେକ୍ସନ ନେଇ ଫିଟ୍ ହେଉଛନ୍ତି କ୍ରିକେଟର

1 min read

ନୂଆଦିଲ୍ଲୀ: ଷ୍ଟିଙ୍ଗ୍ ଅପରେସନରେ ଫସିଲେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । କ୍ରିକେଟ ଇତିହାସରେ କଲେ ସବୁଠୁ ବଡ଼ ଖୁଲାସା । ଫିଟ୍‌ ରହିବାକୁ କ୍ରିକେଟର ଇଞ୍ଜେକସନ୍ ନେଉଛନ୍ତି ବୋଲି କହିଲେ ଚେତନ ଶର୍ମା । ଭାରତୀୟ ଦଳର କିଛି କିଛି ବଡ଼ ବଡ଼ ଖେଳାଳି ମଧ୍ୟ ଫିଟ୍‌ ରହିବାକୁ ଇଞ୍ଜେକସନ୍ ନେଇଥାନ୍ତି । ଏକ ଷ୍ଟିଙ୍ଗ୍ ଅପରେସନରେ ଏମିତି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ଚେତନ ଶର୍ମା ।

କେବଳ ଏତିକି ନୁହେଁ ଖେଳାଳି ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥାନ୍ତି । କିନ୍ତୁ ସେହି ଖେଳାଳିମାନଙ୍କୁ ଦଳରେ ରଖିବା ପାଇଁ ଅନୁରୋଧ ଆସିଥାଏ । କିଛି ଷ୍ଟାର ଖେଳାଳି ଅସୁସ୍ଥ ଥିଲେ ମଧ୍ୟ NCA ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ । ଚେତନ ଶର୍ମାଙ୍କ ଏହି ବିସ୍ଫୋରକ ବୟାନ ଭାଇରାଲ ହେବା ପରେ କ୍ରିକେଟ ଜଗତରେ ଆଲୋଡନ ସୃଷ୍ଟି କରିଛି ।

କେବଳ ଏତିକି ନୁହେଁ ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି ଚେତନ ଶର୍ମା । ୨୦୨୧ରେ ଟି-୨୦ ବିଶ୍ୱକପ ପୂର୍ବରୁ କୋହଲି ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିଲେ । ଟି-୨୦ ବିଶ୍ୱକପ ପରେ ଚୟନ କମିଟି କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଥିଲେ ।ଏହି ଦାୟିତ୍ୱରୁ କୋହଲିଙ୍କୁ ହଟାଯିବା ଆଗରୁ କୋହଲିଙ୍କୁ ମଧ୍ୟ ଅବଗତ କରାଯାଇନଥିବା ସୂଚନା ମିଳିଥିଲା । ତେବେ ଏସମ୍ପର୍କରେ କୋହଲି ସାମ୍ବାଦିକ ସମ୍ମିଳନୀରେ ଯାହା କହିଥିଲେ ଗାଙ୍ଗୁଲି ତାକୁ ଗ୍ରହଣ କରିପାରିନଥିଲେ । ଏହାପରଠୁ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଥିଲା । ତେବେ ଏହି ଘଟଣା ଉପରୁ ପରଦା ହଟାଇବାକୁ ଯାଇ ଚେତନ କହିଛନ୍ତି ଯେ କୋହଲି ଟି-୨୦ ଦଳର ନେତୃତ୍ୱ ଛାଡନ୍ତୁ ବୋଲି ଗାଙ୍ଗୁଲି ଚାହୁଁନଥିଲେ । ଏ ବିଷୟରେ ଗାଙ୍ଗୁଲି ସାମ୍ବାଦିକ ସମ୍ମିଳନୀ କରିଥିଲେ ବି କୋହଲି ଠିକ୍ ଭାବେ ବୁଝି ପାରିନଥିଲେ । ଯେଉଁଥିପାଇଁ ଦିନିକିଆ ଦଳର ନେତୃତ୍ୱରୁ ତାଙ୍କୁ ହଟାଇବା ପଛରେ ଗାଙ୍ଗୁଲିଙ୍କ ହାତ ଥିବା କୋହଲି ଭାବିଥିଲେ ।

ଯଦିଓ କୋହଲି ଏବେ କୌଣସି ଦଳର ନେତୃତ୍ୱ ନେଉ ନାହାନ୍ତି କିନ୍ତୁ ଦଳରେ ତାଙ୍କ ଦବଦବା ଚାଲୁଛି । ରୋହିତ ଦଳର ନେତୃତ୍ୱ ନେଉଥିବାବେଳେ କୋହଲି ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି କହିଛନ୍ତି ଚେତନ ଶର୍ମା । ତେବେ କୋହଲି ଓ ରୋହିତଙ୍କ ସମ୍ପର୍କକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଚେତନ । ସେ କହିଛନ୍ତି କି ରୋହିତ ଓ କୋହଲିଙ୍କ ମଧ୍ୟରେ କିଛି ବିବାଦ ନାହିଁ । କିନ୍ତୁ ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି ଇର୍ଷା ଓ ଅହଙ୍କାର ରହିଛି ବୋଲି କହିଛନ୍ତି ଚେତନ ଶର୍ମା ।

ସେହିପରି ଟି-୨୦ କ୍ରିକେଟରେ ଯୁବ ଖେଳାଳିଙ୍କୁ ସାମିଲ କରାଯିବା ପଛରେ ତାଙ୍କ ହାତ ଥିବା ଚେତନ ସ୍ୱୀକାର କରିଛନ୍ତି । ଇଶାନ କିଶାନ୍, ସୂର୍ଯ୍ୟ କୁମାର ଯାଦବ, ଶୁଭମନ୍ ଗିଲ୍ ଆଦି ଖେଳାଳିଙ୍କୁ ସେ ହିଁ ନିଜେ ଭର୍ତ୍ତି କରାଇଥିବା ଚେତନ ଶର୍ମା କହିଥିଲେ ।