କରୋନା ନେଲା ଆଉ ଜଣେ ମନ୍ତ୍ରୀଙ୍କ ଜୀବନ

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଉତ୍ତରପ୍ରଦେଶରେ ସ୍ଥିତି ବିଗିଡ଼ିବାକୁ ବସିଲାଣି । ୟୋଗୀ ସରକାରରେ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ମୃତ୍ୟୁ ହୋଇଛି । ଚେତନ କରୋନା ସଂକ୍ରମିତ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ଚାଲିଥିବା ବେଳେ ତାଙ୍କ କିଡନୀ ଫେଲ୍ ହୋଇ ଯାଇଥିଲା । ରବିବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ଯୁପି ସରକାରରେ ମନ୍ତ୍ରୀ ଥିବା କମଳ ରାଣୀ ବରୁଣଙ୍କ ଦେହାନ୍ତ କରୋନାରେ ହୋଇଥିଲା । ଚେତନ ଚୌହାନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି ।

ଅର୍ଜୁନ ସମ୍ମାନରେ ସମ୍ମାନିତ ହୋଇଥିବା ଚେତନ ଚୌହାନ ଭାରତୀୟ କ୍ରିକଟ୍ ଟିମର ସଦସ୍ୟ ଥିଲେ । ଏହା ବାଦ୍ ସେ ୧୯୯୧ରୁ ୧୯୯୮ ଯାଏଁ ସାଂସଦ ଥିଲେ । ବିଜେପିରେ ସାମିଲ ହେବା ପରେ ସେ ୟୁପି ସରକାରରେ ସୈନିକ କଲ୍ୟାଣ, ହୋମଦଗାର୍ଡ୍ସ, ପ୍ରାନ୍ତୀୟ ରକ୍ଷକ ଦଳ ଓ ନାଗରିକ ସୁରକ୍ଷା ମନ୍ତ୍ରୀ ହୋଇଥିଲେ । ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଚେତନ ପୂର୍ବରୁ ଉତ୍ତରପ୍ରଦେଶ ଅମରୋହା ଆସନରୁ ସାଂସଦ ଥିବାବେଳେ ଏବେ ଅମରୋହାର ନୋଗାୱାଁ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଉତ୍ତରପ୍ରଦେଶ ସରକାରଙ୍କ ଆଇନ୍ ମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ କରୋନାରେ ପୀଡ଼ିତ ହୋଇଛନ୍ତି । ଏହା ପୂର୍ବରୁ ଯୋଗୀ ସରକାରରେ ମନ୍ତ୍ରୀ ଥିବା କମଳ କାଣୀ ବରୁଣଙ୍କ ଦେହାନ୍ତ ଅଗଷ୍ଟ ୨ ତାରିଖରେ କରୋନାରେ ହୋଇଥିଲା । ସେ ୟୁପି କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏସଜିପିଜିଆଇ ମେଡିକାଲରରେ ଭର୍ତ୍ତି ହୋଇଥିଲେ ।

ଏବେ ଯାଏଁ ଉତ୍ତରପ୍ରଦେଶ ସରକାରର ଖେଳ ମନ୍ତ୍ରୀ ଉପେନ୍ଦ୍ର ତିୱାରୀ, ଜେଲ ମନ୍ତ୍ରୀ ଜୟ ପ୍ରତାପ ସିଂହ, ରାଜେନ୍ଦ୍ର ପ୍ରତାପ ସିଂହ, ଧର୍ମ ସିଂହ ସୈନି, କ୍ୟାବିନେଟ୍ ମନ୍ତ୍ରୀ ମୋତି ସିଂହ ଓ ମହେନ୍ଦ୍ର ସିଂହ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟ ବିଜେପି ସଭାପକି ସ୍ୱତନ୍ତ୍ର ଦେବ ମଧ୍ୟ ଗତ ସପ୍ତାହରେ କରୋନା ସଂକ୍ରମିତ ହୋଇଥିଲେ ।

Leave a Reply