ଭଡ଼ାଘର, ସାଧାରଣ ଜୀବନ: ୨୧ ହଜାର କୋଟି ଟଙ୍କାର ହେରୋଇନ୍ ସ୍ମଗ୍ଲିଂ ଅଭିଯୋଗରେ ଗିରଫ ପତିପତ୍ନୀଙ୍କ କାହାଣୀ

ଚେନ୍ନାଇ: ନିକଟରେ ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ ମୁନ୍ଦ୍ର ବନ୍ଦରରୁ ୨୧ ହଜାର କୋଟି ଟଙ୍କାର ହେରୋଇନ୍ ଜବତ ହୋଇଥିଲା । ୩ ହଜାର କିଲୋର ଏହି ହେରୋଇନ୍ ଜବତ ମାମଲାରେ ତାମିଲନାଡୁର ଏକ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି । ଏହି ପତିପତ୍ନୀ ଚେନ୍ନାଇର ଏକ ଆପାର୍ଟମେଣ୍ଟରେ ରୁହନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ଅନୁସାରେ ଏହି ଦୁଇଜଣଙ୍କ ଜୀବନଶୈଳୀକୁ ଦେଖିଲେ ସେମାନଙ୍କର ୨୧ ହଜାର କୋଟି ଟଙ୍କାର ହେରୋଇନ୍ ସ୍ମଗ୍ଲିଂ ସହିତ ସମ୍ପର୍କ ଥିବାର କଳ୍ପାନ ଅସମ୍ଭବ ଲାଗେ । । ଗିରଫ ପତିପତ୍ନୀ ଏବେ ତଦନ୍ତକାରୀ ଏଜେନ୍ସିଙ୍କ ହେପାଜତରେ ଅଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ ଅନୁସାରେ ଦମ୍ପତ୍ତି ଚେନ୍ନାଇର କୋଲାପକ୍କମର ବିଓସିରେ ଥିବା ଗୋବର୍ଧନ ଗିରିର ଆପାର୍ଟମେଣ୍ଟରେ ରୁହନ୍ତି । ସେମାନଙ୍କର ଜଣେ ପଡ଼ୋଷୀ ଖବରକାଗଜକୁ କହିଛନ୍ତି ଯେ, ୧୭ ଡିସେମ୍ବର ସକାଳେ ସେ ଗିରଫ ଦମ୍ପତ୍ତିଙ୍କ ଘରେ ଭିଡ ଦେଖିଥିଲେ । ପରେ ସେ ହେରୋଇନ୍ କାରବାର ସହିତ ଦମ୍ପତ୍ତିଙ୍କ ସମ୍ପର୍କ ବାବଦରେ ଜାଣିବାକୁ ପାଇଥିଲେ ।

ମଧ୍ୟବିତ୍ତ ପରିବାର
ଯେଉଁ କଣ୍ଟେନରରୁ ହେରୋଇନ୍ ଜବତ ହୋଇଥିଲା ସେହି କଣ୍ଟେନର ଓଶି ଟ୍ରେଡିଂ କମ୍ପାନୀ ନାମରେ ପଂଜିକୃତ ହୋଇଥିଲା । ଏହି କମ୍ପାନୀକୁ ଏମ. ସୁଧାକର ଓ ତାଙ୍କ ପତ୍ନୀ ଜି.ଦୁର୍ଗା ପରିଚାଳନା କରନ୍ତି । ଉଭୟ ଚେନ୍ନାଇ ବିମାନବନ୍ଦର ନିକଟରେ ଭଡା ଘରେ ରୁହନ୍ତି । ସେମାନଙ୍କର ୧୧ ଓ ୧୬ ବର୍ଷର ଦୁଇଟି ପିଲା ରହିଛନ୍ତି । ସେମାନେ ଗତ ୬ ବର୍ଷ ଧରି ସେହି ଆପାର୍ଟମେଣ୍ଟରେ ରହୁଥିବା ଜଣା ପଡିଛି । ସେମାନଙ୍କ ଫ୍ଲାଟର ଭଡା ମାସିକ ୧୦ ହଜାର ଟଙ୍କା ଥିବା ଜଣା ପଡିଛି ।

ଓଶି ଟ୍ରେଡିଂ କମ୍ପାନୀ ଜରିଆରେ କାରବାର
ଗତ ଲକଡାଉନ୍ ସମୟରେ ସୁଧାକରଙ୍କ ଚାକିଲି ଚାଲି ଯାଇଥିଲା । ସେହି ସମୟରେ ଓଶି ଟ୍ରେଡିଂ କମ୍ପାନୀ ଆରମ୍ଭ ହୋଇଥିଲା । ଗତବର୍ଷ ଅଗଷ୍ଟ ମାସରେ ସୁଧାକର ଏହାକୁ ନିଜ ପତ୍ନୀଙ୍କ ନାମରେ ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶର ବିଜୟବାଡାରେ ସତ୍ୟାନାରାୟଣ ପୁରମରେ ଥିବା ନିଜ ଶାସୁଙ୍କ ଘରକୁ ସୁଧାକର କମ୍ପାନୀର ଆଧିକାରିକ ଠିକଣା ଭାବେ ଦର୍ଶାଇ ଥିଲେ । କମ୍ପାନୀ ପାଖରେ ବିଦେଶରୁ ମାଲ ଆମଦାନୀ ଓ ରପ୍ତାନୀର ଲାଇସେନ୍ସ ରହିଛି ।

ପରିବାର ଅତ୍ୟନ୍ତ ଭଦ୍ର
ପଡ଼ୋଶୀଙ୍କ ଅନୁସାରେ ସୁଧାକର ଓ ତାଙ୍କ ପତ୍ନୀ ଧାର୍ମିକ ଥିଲେ । ତାଙ୍କ ଘରକୁ କୌଣସି ସନ୍ଦିଗ୍ଧ ବ୍ୟାକ୍ତିଙ୍କ ଯିବା ଆସିବା ନଥିଲା । ମଝିରେ ମଝିରେ କେବଳ ସୁଧାକରଙ୍କ ମା’ ତାଙ୍କ ଘରକୁ ଆସୁଥିଲେ । ଏହି ପରିବାର ମୁଳତଃ ଆନ୍ଧ୍ରପ୍ରଦେଶର ଥିଲେ କିନ୍ତୁ ଅନେକ ବର୍ଷ ଧରି ତାମିଲନାଡୁରେ ରହୁଥିବା କାରଣରୁ ଧାରାପ୍ରବହାର ତାମିଲ କହୁଥିଲେ । ସୁଧାକର ମଧ୍ୟ ଭଲ ହିନ୍ଦି କହି ପାରୁଥିଲେ । ନିକଟରେ ନିଜ ଶଳାଙ୍କ ବାହାଘରରେ ସାମିଲ ହେବାକୁ ସୁଧାକର ଆନ୍ଧ୍ରପ୍ରଦେଶ ଯାଇଥିଲେ ବୋଲି ପଡ଼ୋଶୀ କହୁଛନ୍ତି।

Leave a Reply