ସବୁଦିନ ବଢ଼ୁଛି ପେଟ୍ରୋଲ ଦର; କର୍ମଚାରୀଙ୍କୁ ସାଇକେଲ ଗିଫ୍ଟ କଲା ଚେନ୍ନାଇ କମ୍ପାନୀ

ଚେନ୍ନାଇ: ପ୍ରତିଦିନ ବଢ଼ୁଛି ତେଲ ଦର । ଏଣୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଗାଡ଼ି ଚାଳକଙ୍କୁ ଅତିରିକ୍ତ ଆର୍ଥିକ ବୋଝ ଉଠାଇବାକୁ ପଡ଼ୁଛି । ଏଭଳି ସ୍ଥିତିରେ ନିଜ କମ୍ପାନୀ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବା ଲାଗି ସାଇକେଲ ଗିଫ୍ଟ କରିଛି ଚେନ୍ନାଇ ସ୍ଥିତ ଏକ କମ୍ପାନୀ । ନିଜ କର୍ମଚାରୀଙ୍କ ପାଇଁ ହରକ୍ୟୁଲସ୍‌ ବ୍ରାଣ୍ଡର ପ୍ରାୟ ୧୪୨ଟି ନୂଆ ସାଇକେଲ କିଣିଛି କମ୍ପାନୀ । କୋଠାରୀ କେମିକାଲ କମ୍ପାନୀ ପକ୍ଷରୁ ଏହି ସାଇକେଲ ବଣ୍ଟନ କରାଯାଇଥିବା ବେଳେ ବଡ଼ ବଡ଼ କମ୍ପାନୀଙ୍କୁ ଏଭଳି କରିବାକୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି ।

ମୋଟର ଯାନ ବ୍ୟବହାର ଦ୍ୱାରା ବୟୁ ଏବଂ ଶଦ୍ଦ ମଧ୍ୟ ପ୍ରଦୂଷଣ ହୋଇଥାଏ  । ବଡ଼ ବଡ଼ ଦେଶମାନେ ମଧ୍ୟ ବିଭିନ୍ନ କଟକଣା ଲାଗୁ କରିବା ସହ ବାର୍ଷିକ ପ୍ରଦୂଷଣ ହାର ହ୍ରାସ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ଅଟୋମୋବାଇଲରୁ ଇଲେକ୍ଟ୍ରିକ୍ ବାହାନକୁ ପରିବର୍ତ୍ତନ ହେବାର ମଧ୍ୟ ଆରମ୍ଭ ହୋଇଗଲାଣି । ଯାହା ଦ୍ୱାରା ଏହି ପ୍ରଦୂଷଣ ହାର ହ୍ରାସ ଟାର୍ଗେଟକୁ ହାସଲ କରାଯାଇପାରିବ । ଏଭଳି ସ୍ଥିତିରେ ଆମ ସମସ୍ତଙ୍କୁ ମଧ୍ୟ ନିଜ ନିଜ ସ୍ତରରେ ଯୋଗଦାନ କରିବାର ଅଛି । ବର୍ତ୍ତମାନ ତୈଳଦର ଯୋଗୁଁ ସାଇକେଲ ଚଳାଇବା ଆର୍ଥିକ ବୋଝ ମଧ୍ୟ କମିବ ଏହା ଶରୀର ମଧ୍ୟ ସୁସ୍ଥ ରହିବ । ଏଣୁ ସାଇକେଲ ଚଲେଇବାକୁ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ପକ୍ଷରୁ ଏଭଳି କରାଯାଇଛି । କୋଠାରୀ ପେଟ୍ରୋକିମିକାଲ କମ୍ପାନୀର ମାନୁଫାକ୍ଚରିଂ ୟୁନିଟ୍  ଚେନ୍ନାଇ ସ୍ଥିତ ମନାଲି ଜିଲ୍ଲାରେ ରହିଛି ।

କମ୍ପାନୀ ଗ୍ରୀନ୍ ସାେଲୁସନ୍‌କୁ ପ୍ରୋତ୍ସାହିତ କରୁଥିବା ବେଳେ ଅଫିସ୍ ଯିବା ଆସିବା ନେଇ ସାଇକେଲ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି । ଏହା ସହିତ କର୍ମଚାରୀଙ୍କୁ ସପ୍ତାହରେ ଅନୁନ୍ୟ ଥରେ ସାଇକେଲରେ ଆସିବାକୁ କହିଛି । ଏହା ସହ ଫିଟ୍ ରହିବା ପାଇଁ ସାଇକେଲିଂ ହେଉଛି ସବୁଠାରୁ ଶସ୍ତା ଉପାୟ ।