ଶହ ଶହ ବର୍ଷର ଶାଳ ଗଛ କାଟି ପୋଖରୀ ଖୋଳୁଛି ବନବିଭାଗ

1 min read

ଛେଣ୍ଡିପଦା : ରକ୍ଷକ ସାଜିଛି ଭକ୍ଷକ । ଶହ ଶହ ବର୍ଷର ଶାଳ ଗଛ କାଟୁଛି ବନବିଭାଗ । ଫରେଷ୍ଟଗାର୍ଡଙ୍କ ଉପସ୍ଥିତିରେ ଖୋଳାଯାଉଛି ପୋଖରୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଦେବୀନଗର ସଂରକ୍ଷିତ ଜଙ୍ଗଲରେ ବିଶାଳ ଶାଳ ଗଛ କାଟି ବନବିଭାଗ ପୋଖରୀ ନିର୍ମାଣ କରୁଛି । ବନବିଭାଗର ଏପରି ମନମୁଖୀ କାମକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକଙ୍କ ସମେତ ବନ ସୁରକ୍ଷା ସମିତି । ବନବିଭାଗ କାହା ନିର୍ଦ୍ଦେଶରେ ବିନା ସୂଚନା ଫଳକରେ ଶାଳ ଗଛ କାଟୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ସୁରକ୍ଷା ସମିତିକୁ ନଜଣାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ପାଇଁ ବନବିଭାଗ ଏପରି ଯୋଜନା କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅନ୍ଯପଟେ ବନ ସୁରକ୍ଷା ସିମିତିର ସଦସ୍ଯମାନେ ଗଛକଟାକୁ ବନ୍ଦ କରି ଜଙ୍ଗଲରୁ ପୋକଲିନ ମେସିନକୁ ବାହାରକୁ ବାହାର କରିଦେଇଛନ୍ତି ।

ଦେବୀନଗର ସଂରକ୍ଷିତ ଜଙ୍ଗଲଟି ଶିମିଳିପାଳ ଓ ବାଗଡିଆ ବନ ସୁରକ୍ଷା ସମିତି ତତ୍ତ୍ବାବଧାନରେ ରହିଛି  l ବନାଞ୍ଚଳ ଅଧିକାରୀ ବନ ସୁରକ୍ଷା ସମିତି ସହ ବୈଠକ ନକରି ମନଇଛା ଜଙ୍ଗଲକାଟି ପୋଖରୀ କରୁଛି l ଘଟଣାର ତଦନ୍ତ କରି ବନାଞ୍ଚଳ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବନ ସୁରକ୍ଷା ସମିତି  l ବିପଦମୁହାଁ ଛେଣ୍ଡିପଦା ପରିବେଶ । ବେଧଡକ ଚାଲିଛି ଗଛକଟା । କେତେବେଳେ ଶିଳ୍ପାୟନ ନାଁରେ କେତେବେଳେ ବନ୍ଯଜନ୍ତୁ ନାଁରେ । ଏଠି ପ୍ରଶ୍ନ ଉଠୁଛି- ଏସବୁ କରିବାକୁ ନିର୍ଦ୍ଦେଶ ଦେଉଛି କିଏ ?