ପୋଲତଳୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

1 min read

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ ଯୁବକ ହାଣ୍ଡପା ଥାନା କଣ୍ଟେଇକୁଳିଆ ଗାଁର ଦୀପକ ବାଘ  । ମୃତଦେହଟି ଶଢ଼ୀ ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ଏହା ହତ୍ୟା ନା ଦୁର୍ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛେଣ୍ଡିପଦାରୁ ଜରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ନିକଟରେ ଦୁର୍ଗନ୍ଧ ହେବାରୁ ଯୁବକଙ୍କ ଗଳିତ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ମୃତଦେହ ଠାରୁ କିଛି ଦୂରରେ ଏକ ବାଇକ ପଡିଥିବାରୁ ଏହା ହତ୍ୟା ନା ଦୁର୍ଘଟଣା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଖବର ପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଚଳାଇଛି । ମୃତ ଯୁବକ ଜଣକ ୫ରୁ ୬ ଦିନ ହେବ ନିଖୋଜ ଥିବା ପୋଲିସ ଜାଣିବାକୁ ପାଇଛି । ନିଖୋଜ ଯୁବକ ଜଣଙ୍କ ଛେଣ୍ଡିପଦା ଅଞ୍ଚଳକୁ କାହିଁକି ଆସିଥିଲେ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।