ସେକେଣ୍ଡ ମ୍ୟାରେଜ କରି ମହିଳାଙ୍କୁ ଲୁଟୁଥିବା ରସିକିଆ ବିରଞ୍ଚିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ବିବାହ କରିବା କହି ମହିଳାଙ୍କୁ ଠକୁଥିବା ନକଲି ଅଫିସରକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ । ବିଶେଷ କରି ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିବା ମହିଳାଙ୍କୁ ଠକୁ ଥିଲା ବିରଞ୍ଚି । ଏଥିପାଇଁ ମାଟ୍ରିମୋନିଆଲ ୱେବସାଇଟରେ ‘ସେକେଣ୍ଡ ମ୍ୟାରେଜ’ ନାମରେ ଏକ ପ୍ରେଫାଇଲ ତିଆରି କରିଥିଲା ।

ଏହି ପ୍ରୋଫାଇଲ ଜରିଆରେ ବିଭିନ୍ନ ସମୟରେ ସେ ନିଜକୁ ରେଳବାଇ ଅଧିକାରୀ, ଆୟକର ଅଧିକାରୀ ଏବଂ ଏକ୍ସସଇଜ ଓ କଷ୍ଟମ ଅଧିକାରୀ ଦର୍ଶାଇ ଅବିବାହିତ, ଛାଡ଼ପତ୍ର ପ୍ରାପ୍ତ ଓ ବିଧବାଙ୍କୁ କରୁଥିଲା ଟାର୍ଗେଟ । ସେମାନଙ୍କ ଘରକୁ ନିଜେ ପ୍ରସ୍ତାବ ନେଇ ଯାଉଥିଲା ଓ ବିବାହ କରୁଥିଲା । ତେବେ ବିବାହ କରିବା ପରେ ସେ ମହିଳାମାନଙ୍କୁ ନିଜ ଘରକୁ ନନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଭଡ଼ା ଘରେ ରଖୁଥିଲା । ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଫଟୋ, ଭିଡ଼ିଓ ଉତ୍ତୋଳନ କରୁଥିଲା । ପରେ ସେହି ଭିଡିଓ ଓ ଫଟୋକୁ ମାଧ୍ୟମ କରି ମହିଳାଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିଲା ।

କଟକର ଜଣେ ମହିଳାଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଛି ବିରଞ୍ଚି । ଏହି ଜଣେ ମହିଳା ନୁହେଁ, ଏକାଧିକ ମହିଳା ବିରଞ୍ଜିଙ୍କ ଦ୍ବାରା ପ୍ରତାରଣାର ଶିକାର ହୋଇଥିବା ଜଣାପଡିଛି । ବିରଞ୍ଚିଙ୍କ ନାଁରେ ରାଜ୍ୟର ୯ଟି ଥାନାରେ ମାମଲା ରହିଛି ।

କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ଯାଇ ସେଠାକାର ମହିଳାମାନଙ୍କୁ ମଧ୍ୟ ଠକିଛି ବିରଞ୍ଚି । ବିଶେଷ କରି ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆଣା ଓ ଦିଲ୍ଲୀରେ ମଧ୍ୟ ବିରଞ୍ଚି ମହିଳାମାନଙ୍କୁ ଠକେଇ କରିଥିବା ଜଣାପଡିଛି ।

ଗିରଫ ବେଳେ ବିରଞ୍ଚିଠାରୁ ନକଲି ପରିଚୟ ପତ୍ର ସହ ଅନେକ ଆପତ୍ତିଜନକ ଫଟୋ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ବିରଞ୍ଚିକୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।