spot_img

Latest Posts

ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ ; ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ । ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ । ଏଥିପାଇଁ ଶରଧାବାଲିରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବ୍ୟାରିକେଡରେ ଯାଇ ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିବାକୁ ହୋଇଛି ବ୍ୟବସ୍ଥା । ତେବେ ଆଜି ଆଷାଢ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ଥିବାରୁ ଶ୍ରୀ ବିଗ୍ରହଙ୍କ ବନକଲାଗି କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ଆପାତତଃ ରାତି ୯ଟାରୁ ବିଳମ୍ବିତ ୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।

ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ।

ମଙ୍ଗଳବାର ଦିନ ହେରାପଞ୍ଚମୀରେ ମାଆ ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିବାକୁ ଥିବାରୁ ଏହା ପୂର୍ବରୁ ବନକଲାଗି ନୀତି ଶେଷ କରାଯିବ । ବନକଲାଗିରେ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୋଇଥାଏ ।

Latest Posts

Don't Miss