ଛତ୍ରପୁର ବିଜେପିରେ ବିଦ୍ରୋହର ନିଆଁ

ବ୍ରହ୍ମପୁର: ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହର ନିଆଁ । ଧର୍ମଶାଳା, ଜଟଣୀ, ଚୌଦ୍ବାର କଟକ ପରେ ଏବେ ଟିକେଟ ବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି । କୃଷ୍ଣଚନ୍ଦ୍ର ନାୟକଙ୍କୁ ଛତ୍ରପୁର ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଘୋଷଣା ପରେ ଏବେ ବିଜେପିରେ ବିଦ୍ରୋହ ହୋଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ବନମାଳୀ ସେଠୀଙ୍କୁ ଦଳ ଟିକେଟ ନଦେଇ କୃଷ୍ଣଚନ୍ଦ୍ରଙ୍କୁ ଦଳ କାହିଁକି ଟିକେଟ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି  ବନମାଳୀଙ୍କ ସମର୍ଥକ । ୨୦୧୭ ମସିହା ବିଜେଡି ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀଦତ୍ତ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ବୋଲି କହିଛନ୍ତି ବନମାଳୀଙ୍କ ସମର୍ଥକ । ଏନେଇ ଆଜି ୩ ହଜାର ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଆଗାମୀ ଦିନରେ ବିଜେପି ବନମାଳୀଙ୍କୁ ଟିକେଟ ନଦେଲେ ହଜାର ହଜାର ସମର୍ଥକ ବିଜେପିରୁ ଇସ୍ତଫା ଦେବାସହ ବନମାଳୀ ସେଠୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ବନମାଳୀ ସେଠୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେ଼ଇ ହେବ ବୋଲି ସମର୍ଥକ କହିଛନ୍ତି।