ଓଡ଼ିଶା ଗସ୍ତରେ ଛତିଶଗଡ଼ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଟିମ୍, ପ୍ରଥମ ଦିନରେ ଭିତରକନିକା ଗସ୍ତ

ଭୁବନେଶ୍ୱର: ଆଜିଠୁ ୫ ଦିନ ବ୍ୟାପୀ ଓଡ଼ିଶାର ବିବାଦୀୟ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବେ ଛତିଶଗଡ଼ରୁ ଆସିଥିବା ଜଳସଂପଦ ବିଭାଗର ଟିମ୍ । ଛତିଶଗଡ ଏବଂ ଓଡ଼ିଶା ମଧ୍ୟରେ ଲାଗିଥିବା ମହାନଦୀ ଜଳ ବିବାଦକୁ ନେଇ ଟିମ୍, ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଟିମର ସଦସ୍ୟ । ଟିମ୍‌ରେ ବୈଷୟିକ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଆଇନ୍ ବିଷାରଦ ସାମିଲ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ଟିମ୍‌ ଭିତରକନିକା ଅଞ୍ଚଳ ଗସ୍ତ କରିବେ ବୋଲି ଜଣାପଡ଼ିଛି  । ଦ୍ୱିତୀୟ  ଦିନରେ ସେମାନେ ସାତପଡ଼ା ଅଞ୍ଚଳ ପରିଦର୍ଶନରେ ଯିବେ ।

ପ୍ରଥମେ ସାତପଡ଼ା ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ, ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ପହରଦିନକୁ ଘୁଞ୍ଚିଛି । ସେହିଭଳି ଗସ୍ତର ତୃତୀୟ ଦିନରେ ଅନୁଗୁଳ ଓ ଚତୁର୍ଥ ଦିନରେ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଟିମ୍‌ ଛତିଶଗଡ଼ ପରିଦର୍ଶନରେ ଯିବ ବୋଲି ସ୍ଥିର ହୋଇଛି ।

ଗତ ଡିସେମ୍ବର ୧୪ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅନୁମତି କ୍ରମେ ଏହି ଗସ୍ତ ଚୁଡ଼ାନ୍ତ ହୋଇଛି । ଗସ୍ତ ପରେ କମିଟି ଫେବୃଆରୀ ୧ ତାରିଖରେ ଟ୍ରିବ୍ୟୁନାଲରେ ମାମଲା ଶୁଣାଣି ବେଳେ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

Leave a Reply