ଭୁଲ ମାନିଲା ଛତିଶଗଡ଼, ଓଡ଼ିଶାରୁ ହଟେଇନେବ ବେଆଇନ ଟୋଲଗେଟ

ନବରଙ୍ଗପୁର: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଓଡିଶା ମାଟିରୁ ଟୋଲଗେଟ ହଟେଇବା ନିଷ୍ପତ୍ତି ନେଲା ଛତିଶଗଡ ପ୍ରଶାସନ । ଉଭୟ ପକ୍ଷର ଆଲୋଚନାରେ ନିଜର ଭୁଲ୍ ସ୍ୱୀକାର କରିବା ସହିତ ଫାଟକ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି ଛତିଶଗଡ ଦେଓଭୋଗ ପ୍ରଶାସନ । ବେଆଇନ ଧାନ ରୋକିବା ବାହାନା କରି ଓଡ଼ିଶା ମାଟିରେ ଟୋଲ ଗେଟ୍ ବସାଇଥିଲା ଛତିଶଗଡ ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଖପରାଡ଼ିହି ଗ୍ରାମ ଭିତରକୁ ପଶିଆସି ଏହି ଫାଟକ ନିର୍ମାଣ କରିଥିଲା । ଏ ସମ୍ପର୍କରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣପରେ ଆକ୍ସନ ମୋଡକୁ ଆସିଥିଲେ ଚନ୍ଦାହାଣ୍ଡି ବ୍ଲକ୍ କର୍ତ୍ତୁପକ୍ଷ । ତହସିଲଦାରଙ୍କ ମାପଚୁପ ପରେ ଟୋଲ୍ ଗେଟଟି ଓଡିଶା ମାଟିରେ ଥିବା ଜଣାପଡିଥିଲା । ଏହା ସହିତ ଓଡ଼ିଶା ସୀମାର ୩୦୦ମିଟର ଭିତରକୁ ଛତିଶଗଡ ପଶିଆସିଥିବା ଜଣାପଡିଥିଲା । ପରେ ଗାଁ ସୀମାରେ ଉଭୟ ପକ୍ଷ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ଛତିଶଗଡର ଆଚରଣରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଥିଲେ । ଗ୍ରାମବାସୀ, ଉଭୟ ପକ୍ଷର ରାଜସ୍ବ ନିରୀକ୍ଷକ, ଛତିଶଗଡ ଦେଓଭୋଗ ଏସଡିଏମ୍ ଓ ତହସିଲଦାରଙ୍କ ଉପସ୍ଥିତିରେ ଫାଟକ କରିଥିବା ଜାଗାରେ ପୁଣି ମାପଚୁପ କରାଯାଇଥିଲା । ମାପ ପରେ ଫାଟକଟି ଓଡ଼ିଶା ଜାଗାରେ ଥିବା ଜଣାପଡିଥିଲା । ପରେ ଉଭୟ ପ୍ରଶାସନର ଆଲୋଚନା ପରେ ଛତିଶଗଡ ନିଜର ଭୁଲ୍ ସ୍ୱୀକାର କରିବା ସହ ଫାଟକ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତି ହୋଇଛି ।

Leave a Reply