ଆଜି ଛତିଶା ନିଯୋଗ ବୈଠକ, ଅଧ୍ୟକ୍ଷତା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ବୈଠକରେ ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଥିବାବେଳେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ ବେଶ ଶୃଙ୍ଖଳିତ କିଭଳି କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରାଯିବ । ଏଥିସହ ଅନବସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଅନ୍ୟାନ୍ୟ ଦିଗକୁ ନଜର ରଖି ସମନ୍ବୟ ଭିତ୍ତିରେ କାର୍ଯ୍ୟ କରିବାକୁ ଆଲୋଚନା କରାଯିବ ।

ସେପଟେ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ । ରଥ ନିର୍ମାଣରେ ବ୍ୟସ୍ତ ମହାରଣା, ଭୋଇ, ରୂପକାର ଓ ଅନ୍ୟାନ୍ୟ ସେବାୟତ । ଏବେ ତିନି ରଥର ଚକ ଏବଂ ଅଖ ନିର୍ମାଣ ସରି ୧୪ ନାହାକା ନିର୍ମାଣ ଜାରି ରହିଛି । ତିନି ରଥର ୫ ଦଣ୍ଡା ନିର୍ମାଣ ପାଇଁ ରଥ ଖଳାକୁ ଦଣ୍ଡା କାଠ ଭୋଇ ସେବାୟତଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ବେଳେ ଦଣ୍ଡା ହଣା କାର୍ଯ୍ୟ ଜାରି ରହିଛି ।