ଓପନ୍‌ ଏଆଇର ସିଇଓ ପଦରୁ ବାହାରିଲେ ସାମ୍ ଅଲ୍ଟମ୍ୟାନ

1 min read

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦୁନିଆରେ ସାମ୍ ଅଲ୍ଟମ୍ୟାନଙ୍କ ନାମ ବେଶ୍ ଜଣାଶୁଣା। ଆଜିକା ସମୟରେ ବହୁ ଲୋକ ChatGPT ପାଇଁ AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବୁଝିପାରିଛନ୍ତି । ଯଦିଓ ବର୍ଷ ବର୍ଷ ଧରି ଟେକ୍ନିକାଲ୍ ଦୁନିଆରେ AI ପରିଚିତ ଥିଲା କିନ୍ତୁ ଚାଟ୍ ଜିପିଟି ପାଇଁ ଏହା ସାଧାରଣରେ ଲୋକପ୍ରିୟ ହୋଇପାରିଛି ।

ସେହି ସାମ ଅଲ୍ଟମ୍ୟାନଙ୍କୁ OpenAI ର ସିଇଓ ପଦରୁ ହଟାଇ ଦିଆଯାଇଛି। ୨୦୧୫ରେ Open AI ଆରମ୍ଭ ହୋଇଥିଲା । ସାମ୍ ଅଲ୍ଟମ୍ୟାନ୍ ଏବଂ ଗ୍ରେଗ ବ୍ରୋକମ୍ୟାନ୍ ଏକ ଛୋଟିଆ କୋଠରୀରୁ ଏହାକୁ ଆରମ୍ଭ କରିଥିଲେ। ସେହି ସମୟରେ ଏଲନ୍ ମସ୍କ ମଧ୍ୟ ଏହି କମ୍ପାନୀର ଏକ ଅଂଶ ଥିଲେ। କିନ୍ତୁ ୨୦୧୮ ମସିହାରେ ସେ ନିଜକୁ ଓପନ୍ ଏଆଇରୁ ଅଲଗା କରିଥିଲେ। ତେବେ ChatGPT ଲଞ୍ଚ ହେବାପରେ ଅଲ୍ଟମ୍ୟାନ OpenAI ର ଚେହେରା ପାଲଟିଥିଲେ।

ସାମ ଅଲ୍ଟମ୍ୟାନଙ୍କ ପରେ ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି। ଚାଟ୍ ଜିପିଟି ବନାଇଥିବା କମ୍ପାନୀ ଓପନ୍ ଏଆଇ ବୋର୍ଡ ପକ୍ଷରୁ ଶୁକ୍ରବାର ଦିନ ସିଇଓ ସାମ ଅଲ୍ଟମ୍ୟାନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।

କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା। ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ଅପରପକ୍ଷେ ପୂର୍ବତନ ସିଇଓ ଅଲ୍ଟମ୍ୟାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ରେ କହିଛନ୍ତି ଯେ ମୁଁ ଓପନ ଏଆଇରେ ବିତାଇଥିବା ସମୟକୁ ବହୁତ ଭଲ ପାଏ। କମ୍ପାନୀରେ ଦକ୍ଷ ବ୍ୟକ୍ତିଙ୍କ ସହ କାମ କରି ମୁଁ ଅଧିକ ଉପଭୋଗ କରିଛି। ତେବେ ଇସ୍ତଫା ଏକ ପରିବର୍ତ୍ତନଶୀଳ ନିଷ୍ପତ୍ତି।