୧୭ରେ ଶ୍ରୀକ୍ଷେତ୍ରରେ ଏକାଠି ହେବ ସାରା ଦେଶ, ପୌଷ ମାସରେ ରଥ ଦେଖିବେ ଭକ୍ତ

ପୁରୀ: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଶ୍ରୀକ୍ଷେତ୍ରରେ ଏକାଠି ହେବ ସାରା ଦେଶ । ପୁରୀ ଆସିବେ ପ୍ରମୁଖ ଦେବପୀଠର ମୁଖ୍ୟ, ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମସ୍ତଙ୍କୁ ଆକୃଷ୍ଟ କରିବ । ବଡ଼ଦେଉଳ ଚତୁଃପାର୍ଶ୍ବର ନୂଆରୂପକୁ ଦେଖି ସଭିଏଁ ହେବେ ବିମୋହିତ । ତେବେ ବାହାରୁ ଆସୁଥିବା ଅତିଥିମାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଯୋଡିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ସୃଷ୍ଟି ହେବ ରଥଯାତ୍ରାର ଭ୍ରମ ।

ପୌଷ ମାସରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଖିପାରିବେ ଆଷାଢ ମାସରେ ହେଉଥିବା ତିନିରଥ । ଏଥିପାଇଁ ରଥଗୁଡ଼ିକର ପ୍ରସ୍ତୁତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଶ୍ରୀକ୍ଷେତ୍ରକୁ ଜଗନ୍ନାଥମୟ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି କ୍ରମରେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ତିନିରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ପ୍ରଦର୍ଶନ କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ନନ୍ଦିଘୋଷର ରଥ ମୁଖ୍ୟ ରୂପକାର ରାଜେନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦେଇଛି ପ୍ରଶାସନ ।

ନିର୍ଦ୍ଦେଶ ପାଇବା ମାତ୍ରେ ମହାପ୍ରଭୁଙ୍କ କାମରେ ଲାଗିପଡିଛନ୍ତି ରାଜେନ୍ଦ୍ର ଏବଂ ସାଥୀ । ଆଷାଢ ମାସରେ ବଡ଼ଦାଣ୍ଡରେ ଗଡୁଥିବା ତିନିରଥ ଅବିକଳ ଭାବେ ତିଆରି କରାଯାଉଛି । କେବଳ ଫରକ୍ ରହିବ ରଥର ଉଚ୍ଚତା । ଏହାବାଦ୍ ଆଉ ସବୁକିଛିକୁ ନିଖୁଣ ଭାବେ ନିର୍ମାଣ କରିଛନ୍ତି କାରିଗର । ନିଷ୍ଠାର ସହ ପ୍ରାୟ ୨୦ରୁ ୨୫ ଜଣ ମାସେ ହେବ ଏହି ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଅବିକଳ ଭାବେ ତିନିରଥକୁ ରୂପ ଦେବାରେ ଲାଗି ପଡିଛନ୍ତି ।