ପୁରୀ ରଥଯାତ୍ରା: ବଡ଼ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ପରେ ଗଡ଼ିଲା ମହାପ୍ରଭୁଙ୍କ ରଥ

ପୁରୀ: ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କ ରଥଟଣା ପରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣୁଛନ୍ତି । ମାଉସୀ ମାଙ୍କ ଘର ଅଭିମୁଖେ ଭକ୍ତଙ୍କ ଗହଣରେ ଯାତ୍ରା କରୁଛନ୍ତି କଳାଠାକୁର । ଘୋର ଘରଘର ନାଦରେ ବଡ଼ଦାଣ୍ଡରେ ଗଡ଼ିଚାଲିଛି ନନ୍ଦିଘୋଷ ରଥ । ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନୀରେ ବଡଦାଣ୍ଡ ପ୍ରକମ୍ପିତ ହେଉଛି । ବିଶ୍ବ ନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣି ନେଉଛନ୍ତି । ଅପରାହ୍ନ ୪ଟା ୫୦ ମିନିଟରେ ନନ୍ଦିଘୋଷ ରଥକୁ ମାଉସୀ ମା ଘର ଅଭିମୁଖେ ଟାଣିଥିଲେ ଭକ୍ତ ।

ଏହା ପୂର୍ବରୁ ପ୍ରଭୁ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣିବା ଆରମ୍ଭ କରିଥିଲେ । ବଡ଼ଦାଣ୍ଡରେ ଆଜି ଅପରାହ୍ନ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ । ଏହା ପରେ ଅପରାହ୍ନ ୩ଟା ୫୫ ମିନିଟରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନକୁ ଟାଣିଥିଲେ । ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି । ଭକ୍ତ ଆଉ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ହୋଇଛନ୍ତି ।