ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ, ବିନ୍ଧ ପରେ ଯନ୍ତାଗାଡ଼ ପାଇଁ ପ୍ରସ୍ତୁତି

ପୁରୀ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ପୁରୀ ରଥଖଳାରେ ବ୍ୟସ୍ତ ମହାରଣା । ୩ ରଥର ୪୨ଟି ତୁମ୍ବରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଗର ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ତୁମ୍ବଗୁଡ଼ିକରେ ପନ୍ଦାରୀ ବିନ୍ଧ ଚାଲିଥିବାବେଳେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ କରାଯିବ । ଯନ୍ତା ଗାଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭୋଇ ସେବାୟତ । ବିଦାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ରଥଖଳା ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ନେଇ ଆଶା ପ୍ରକଟ କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳା ରାସ୍ତା ସମତୁଲ ନ ଥିବାରୁ ଏହା ରଥଯାତ୍ରା ସମୟରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ । ତିନି ରଥର ଏକ ଯୋଡ଼ା ଚକ ସହିତ ଅଖର ସଂଯୋଗ କାର୍ଯ୍ୟ ଆଗାମୀ ଭଉଁରୀ ତିଥିରେ କରାଯିବା ସହ ରଥ ନିର୍ମାଣର ଏକ ପ୍ରମୁଖ ସୋପାନ ଆରମ୍ଭ ହୋଇଥାଏ । ତେଣୁ ଭଉଁରୀ ଯାତ୍ରା ପୂର୍ବରୁ ରାସ୍ତା ସମତୁଲ କରା ନ ଗଲେ ତିନି ରଥର ନିର୍ମାଣ ଶୈଳୀ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ସେମାନେ ଆଶଂକା କରିଛନ୍ତି । ତେଣୁ ଖୁବଶୀଘ୍ର ରାସ୍ତା ସମତୁଲ ନେଇ ପଦକ୍ଷେପ ନେବାକୁ ସେମାନେ ମତ ଦେଇଛନ୍ତି ।