spot_img

Latest Posts

ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ କୋର୍ଟରେ ଚାର୍ଜ ଫ୍ରେମ୍

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଦାଲତି ଅଡ଼ୁଆ । ବୁର୍ଲା ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାରେ କୋର୍ଟରେ ଚାର୍ଜ ଫ୍ରେମ୍ ହୋଇଛି । ତିନି ଦିନ ତଳେ ବହୁଚର୍ଚ୍ଚିତ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ସେ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଅଦାଲତରେ ହାଜର ହୋଇ ଜାମିନରେ ଯାଇଥିବାବେଳେ ୨୦୧୬ରେ ବୁର୍ଲା ଥାନା ଅଧିକାରୀଙ୍କୁ ଆକ୍ରମଣ ଓ ଧମକଚମକ ମାମଲାରେ ଆଜି ପୁଣିଥରେ ତାଙ୍କୁ ଏହି କୋର୍ଟରେ ହାଜର ହେବାକୁ ପଡ଼ିଥିଲା। ଏହି ମାମଲାରେ ଅଦାଲତରେ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଥିବାବେଳେ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କେବଳ ସେତିକି ନୁହେଁ, ଏଣିକି ଏହି ମାମଲାର ଶୁଣାଣିବେଳେ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜିରା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ମସିହା ଫେବୃୟାରୀ ୩ତାରିଖରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଓଡ଼ିଶା ଗସ୍ତ ସମୟରେ ଡ୍ୟୁଟିରେ ଥିବା ତତ୍କାଳୀନ ବୁର୍ଲା ଥାନା ଅଧିକାରୀ ତୋଫାନ ବାଗଙ୍କୁ ଜୟନାରାୟଣ ଓ ତାଙ୍କ ସହଯୋଗୀ ମାନସ ରଂଜନ ବକ୍ସି ଓ ପ୍ରିନ୍ସ ସୋନି ଆକ୍ରମଣ କରିବା, ଜାତିଆଣ ଆକ୍ଷେପ କରିବା ସହ ଧମକଚମକ ଦେଇଥିଲେ। ଥାନା ଅଧିକାରୀଙ୍କ ଅଭିଯୋଗ କ୍ରମେ ଜୟନାରାୟଣ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ପରେ ହାଇକୋର୍ଟରୁ ଜାମିନ ପାଇଥିବାବେଳେ ଡିଏସପି ଅବକାଶ ରାଉତରାୟ ଏହି ମାମଲାର ତଦନ୍ତ କରି ୧୭ ଅକ୍ଟୋବର ୨୦୧୭ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲେ। ଆଜି ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ଲାଗି ଜୟନାରାୟଣଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ। କୋର୍ଟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି ।

ଏହାସହ ପୂର୍ବ ସର୍ତ୍ତ ଅନୁସାରେ ଜାମିନ ପ୍ରଦାନ କରିବା ସହ ଆଉ କୌଣସି ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ନ ହେବାକୁ ତାଗିଦ କରିଛନ୍ତି। ଏହାଛଡ଼ା ମାମଲାର ଶୁଣାଣି ପାଇଁ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ମଧ୍ୟ କୋର୍ଟ ଜୟନାରାୟଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବହୁଚର୍ଚ୍ଚିତ ଦିଲେଶ୍ବର ସାହୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜୟନାରାୟଣ ମିଶ୍ର ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କ ସହ ତିନି ଦିନ ତଳେ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇ ଜାମିନରେ ଯାଇଥିଲେ। ଆଜି ସେ ପୁଣିଥରେ କୋର୍ଟରେ ହାଜର ହେବା ଏବଂ ମାମଲାର ପ୍ରତ୍ୟେକ ତାରିଖରେ ତାଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଜୟନାରୟଣଙ୍କ ଅଡୁଆ ଆହୁରି ବଢାଇ ଦେଇଛି ।

Latest Posts

Don't Miss