ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
1 min read
ଭୁବନେଶ୍ବର: ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିଭିନ୍ନ ଦାବି ନେଇ ବିରୋଧୀଙ୍କ ହଟ୍ଟଗୋଳ । ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।
ଗତକାଲି ପରି ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ କରିଛନ୍ତି ପ୍ରତିବାଦ । ଘଣ୍ଟ ଓ ବଇଁଶୀ ବଜାଇ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ । ସେହିପରି ନାରୀ ସୁରକ୍ଷାକୁ ନେଇ ଗୃହ କମିଟି ଦାବି ବି ଉଠିଥିଲା । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ପ୍ରତିବାଦ କରିଛି । ହଟ୍ଟଗୋଳ ଯୋଗୁଁ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।
ମୁଲତବୀ ପରେ ଉଭୟ କଂଗ୍ରେସ ଓ ବିଜେଡି ଗୃହ ବାହାରେ ପ୍ରତିବାଦ କରୁଛନ୍ତି । ବିଧାନସଭା ପ୍ରବେଶ ପଥରେ ବିଜେଡି ବିଧାୟକମାନେ ପ୍ରତିବାଦ କରିବା ସହ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଧାରଣା ଦେଇଛନ୍ତି ।
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନାହିଁ: ବିଜେଡି
ସେପଟେ ବିଜେଡି ସମାଲୋଚନା କରି କହିଛି, ବିଜେପି ପାଖରେ କୌଣସି ପ୍ରଶ୍ନର ଉତ୍ତର ନାହିଁ । ଯେତେବେଳେ ବିରୋଧୀ ଦଳ ଲୋକଙ୍କ ସ୍ୱରକୁ ଶାଣିତ କରୁଛି, ସେମାନେ କହୁଛନ୍ତି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି । ହେଲେ ଗୃହ ଚଳାଇବା ଦାୟିତ୍ୱ ସରକାରଙ୍କର । ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ ଆଗରେ ବସିଲୁ । ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ ? ଏସସି, ଏସଟି, ଓ ଓବିସିଙ୍କ ୯୪ ପ୍ରତିଶତ ଜନସଂଖ୍ୟା । ବୈଷୟିକ ଶିକ୍ଷାରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ । ହେଲେ ଓବିସି ପାଇଁ ଶୂନ୍ୟ ସଂରକ୍ଷଣ କ’ଣ ସ୍ୱାଗତଯୋଗ୍ୟ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ଯେବେ ଜାମ୍ମୁ କାଶ୍ମୀର ଏସସି, ଏସଟି ଓ ଓବିସି ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ ଓଡ଼ିଶାରେ କିଛି କରିବେନି କେମିତି ? ସରକାର କ’ଣ ସବୁବେଳେ ଶିଶୁ ସରକାର ହୋଇ ରହିବ ? ଶୁଖୁଆରୁ ଶିଖିବା ସରକାର ହୁଅ । ସଂଖ୍ୟା ଓ ସମ୍ଭବ ଅନୁସାରେ ସଂରକ୍ଷଣ ଦିଅ । ସରକାର କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ହେଲେ କରୁନାହାଁନ୍ତି । ଜାତିଭିତ୍ତିକ ଜନଗଣନା କାହିଁକି କରୁ ନାହାନ୍ତି ? ଏହା ହେଲେ ସାମାଜିକ ସମାନତା ଆସିବ । ମୋମୋ ସରକାର-ମୋହନ ଓ ମୋଦି ସରକାର ଏହା ଲାଗୁ କର । କେବିକେ ଗ୍ରାଣ୍ଟ କାଟିଲ । ନବୀନ ପଟ୍ଟନାୟକ ବିଜୁ କେବିକେ କଲେ । ତର୍କ ପାଇଁ ଆସିଲେ ହାରିଯିବ ବୋଲି କହିଛନ୍ତି ଅରୁଣ । ତୁରନ୍ତ ଓବିସି ସଂରକ୍ଷଣ ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ଅରୁଣ ଆହ୍ବାନ ଦେଇଛନ୍ତି ।