ଫେସବୁକକୁ ନେଇ ଭାରତର ଝଡ଼,ବିଜେପି ପ୍ରତି ନରମ ଅନ୍ୟଙ୍କ ପାଇଁ ଗରମ !

ନୂଆଦିଲ୍ଲୀ: ଫେସବୁକକୁ ନେଇ ଭାରତରେ ଝଡ଼ । କଂଗ୍ରେସ ଓ ବିଜେପି ମୁଁହାମୁଁହି । ଆମେରିକୀୟ ଖବର କାଗଜ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଭାରତୀୟ ରାଜନୀତି ଉଷ୍ମ ହୋଇଛି । ଫେସବୁକ ତାର କମ୍ୟୁନିଟି ନିୟମକୁ ନିରପେକ୍ଷ ଭାବେ ପାଳନ କରୁନି ବୋଲି ଖବରକାଗଜ ଦାବି କରିଥିଲା । ଜର୍ଣ୍ଣାଲ ଅନୁସାରେ ସାମ୍ପ୍ରଦାୟିକ ଉତ୍ତେଜନ ସୃଷ୍ଟିକାରି ଲେଖାକୁ ବ୍ୟାନ୍ କରିବା ପାଇଁ ଫେସବୁକର ଗାଇଡ୍ ଲାଇନ୍ ରହିଛି । କିନ୍ତୁ ଏହି ଗାଇଡ୍ ଲାଇନ୍ ପାଳନ କରିବା ବେଳେ ଫେସବୁକ ବାଛବିଚାର କରୁଛି । ବିଜେପିର କିଛି ନେତାଙ୍କ ହେଟ୍ ସ୍ପିଚ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବେଳେ ଫେସବୁକ ନରମ ଆଚରଣ ଦେଖାଉଛି । ଉଦାହରଣ ଦେଇ ଜର୍ଣ୍ଣାଲ ତା’ ରିପୋର୍ଟରେ ହାଇଦ୍ରାବାଦର ବିଜେପି ନେତା ରାଜା ସିଂଙ୍କ ନାମ ନେଇଥିଲା । ଖବରକାଗଜ ଅନୁସାରେ ରାଜା ସିଂଙ୍କ ହେଟ୍ ସ୍ପିଚକୁ ବ୍ୟାନ୍ କରିବା ପାଇଁ ଉଦ୍ୟମ ହେବା ବେଳେ ଫେସବୁକର ଭାରତୀୟ ପଲିସି ଡାଇରେକ୍ଟର ଆଖୀ ଦାସ ବିରୋଧ କରିଥିଲେ । ସେ କହିଥିଲେ ଯେ, ଏମିତି କଲେ ଫେସବୁକର ବିଜେପି ସହିତ ସଂପର୍କ ଖରାପ ହେବ ।

ତେବେ ଫେସବୁକ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । ଫେସବୁକର କହିବା ହେଲା ‘‘ ଆମେ କୌଣସି ରାଜନୈତିକ ଦଳର ଓଜନ ଦେଖି ନିଷ୍ପତି ନେଉନା । ଏଥିପାଇଁ ନିୟମିତ ଅଡିଟ୍ ହୋଇଥା । ଆମେ ହିଂସା ଉସକାଉଥିବା ହେଟ୍ ସ୍ପିଚ୍ ଓ କଣ୍ଟେଣ୍ଟକୁ ପ୍ରତିବନ୍ଧିତ କରିଥାଉ । କାହାର ରାଜନୈତିକ ପ୍ରଭାବ କେତେ ନଦେଖି ଆମେ ଏହାକୁ ପୁରା ଦୁନିଆରେ ଲାଗୁ କରିଥାଉ,ତେଣିକି ସେମାନେ ଯେକୌଣସି ଦଳର ହୋଇଥାନ୍ତୁ ନା କାହିଁକି । ଆମେ ନିରପେକ୍ଷତା ଓ ସଠିକତା ସୁନିଶ୍ଚିତ କରିବାକୁ ନିୟମକୁ ଅଧିକ ଧାରୁଆ କରୁଛୁ’’

ଅନ୍ୟପକ୍ଷରେ ଏହାକୁ ନେଇ ଦେଶର ରାଜନୀତି ଗରମ ହେବାରେ ଲାଗିଲାଣି । ଫେସବୁକ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟକୁ ନେଇଛି କଂଗ୍ରେସ । କଂଗ୍ରେସ ଏହି ମାମଲାର ତଦନ୍ତ ମିଳିତ ସଂସଦୀୟ କମିଟି(ଜେପିସି) ଦ୍ୱାରା କରିବାକୁ ଦାବି କରିଛି । ବିଜେପି ଫେସବୁକ ଓ ହ୍ୱାଟସଆପ ମାଧ୍ୟମରେ ଲୋକଙ୍କ ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛି। ଏହା ଦ୍ଵାରା ଦେଶରେ ଅସହିଷ୍ଣୁତା ବଢ଼ିବାରେ ଲାଗିଛି । ଏହାର ଜବାବରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସର ଅଭିଯୋଗ ଭିତ୍ତିହୀନ । ଦେଶର ସମସ୍ତ ନାଗରିକଙ୍କ ତଥ୍ୟ ସୁରକ୍ଷିତ ରହିଛି । ପୂର୍ବରୁ କଂଗ୍ରେସ ଏଭଳି କିଛି କାମ କରି ନିନ୍ଦିତ ହେବା ପରେ ଏବେ ବିଜେପିକୁ ଦୋଷ ଦେଉଛି ।

Leave a Reply