ଅବ୍ୟବସ୍ଥା ଘେରରେ କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ମେଡିକାଲରେ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର ନା ଅଛି ଭିତ୍ତିଭୂମି
1 min read
ନନ୍ଦିଘୋଷ ବ୍ୟୁରୋ : ଅବ୍ୟବସ୍ଥା ଘେରରେ କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ମେଡିକାଲରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଖାଲି ପଡିଛି ଅନେକ କର୍ମଚାରୀ ପଦପଦବୀ । ହୋଇପାରୁନି ରୋଗୀ ସେବା । ପାଲଟିଛି ରେଫରାଲ ସେଣ୍ଟର । ତେଲକୋଇ ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ର ଉପରେ ୨୨ଟି ପଞ୍ଚlୟତର ଲୋକ ନିର୍ଭର କରିଥାନ୍ତି । ମେଡିକାଲକୁ ପ୍ରତିଦିନ ୪ ଶହରୁ ୫ ଶହ ରୋଗୀ ସ୍ଵାସ୍ଥ୍ଯ ପରୀକ୍ଷା କରାଇବା ପାଇଁ ଆସିଥାନ୍ତି । ହେଲେ ଆବଶ୍ୟକୀୟ ସ୍ଵାସ୍ଥ୍ଯ କର୍ମଚାରୀ ନଥିବାରୁ ରୋଗୀ ଘଣ୍ଟଘଣ୍ଟା ଧରି ଲାଇନରେ ଠିଆ ହୋଇ ନୟାନ୍ତ ହେଉଛନ୍ତି । ଅନେକ ଚିକିତ୍ସା ନପାଇ ନିରାଶ ହୋଇ ଫେରିଯାଉଛନ୍ତି । ସେହିପରି ରକ୍ତ, ମଳମୂତ୍ର, ଡାଇବେଟିସ ସାଙ୍ଗକୁ ଅନ୍ୟାନ୍ୟ ଟେଷ୍ଟ ପାଇଁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଲୋକେ ବାହାର ଲ୍ୟାବ ଉପରେ ନିର୍ଭର କରି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।
ମେଡିକାଲରେ ଆବଶ୍ୟକୀୟ ବେଡ ମଧ୍ୟ ନାହିଁ । ଅନେକ ସମୟରେ ରୋଗୀଙ୍କୁ ଚଟାଣରେ ଶୁଆଇ ଚିକିତ୍ସା କରିବାକୁ ପଡୁଛି । ରୋଗୀଟିଏ ସାଧାରଣ ରୋଗ ପାଇଁ ଆସିଲେ ବି ତାକୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଉଛି । ଫଳରେ ରୋଗୀଙ୍କ ସମେତ ତାଙ୍କ ସଂପର୍କୀୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତିକିରେ ସରିନି ମେଡିକାଲ ସମସ୍ୟା । ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ବେଳେ ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ମେଡିକାଲ ପ୍ରତି ସରକାର କେବେ ଦୃଷ୍ଟି ଦେବେ ? କେବେ ତେଲକୋଇବାସୀଙ୍କ ଦୁଃଖ ଦୂର ହେବ ତାକୁ ଅପେକ୍ଷା ।