ଜାଣନ୍ତୁ ୨୦୨୨ରେ କେଉଁ ସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି?
1 min readନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୧ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି । ନୂଆ ବର୍ଷରୁ ଏମିତି କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି ଯାହା ସିଧାସଳଖ ଭାବରେ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇବ । ଆସନ୍ତା ମାସରେ ଯେଉଁ ସବୁ ନିୟମ ବଦଳିବାକୁ ଯାଉଛି ସେଥିମଧ୍ୟରେ ରହିଛି ବ୍ୟାଙ୍କିଂ, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ଏଲପିଜି ସିଲିଣ୍ଡରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନୂଆ ବର୍ଷରୁ କେଉଁ ସବୁ ନୂଆ ନିୟମ ଆସିବାକୁ ଯାଉଛି ଆସନ୍ତୁ ଜାଣିବା ।
ଡେବିଟ୍-କ୍ରେଡିଟ କାର୍ଡ ବ୍ୟବହାର ପାଇଁ ବଦଳିବ ନିୟମ
ଯଦି ଆପଣ ଅନଲାଇନ ପେମେଣ୍ଟ କରୁଛନ୍ତି ତେବେ ଆସନ୍ତା ମାସରୁ ଅର୍ଥାତ ଜାନୁଆରୀ ୧ରୁ ଏହାର ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଅନଲାଇନ ପେମେଣ୍ଟକୁ ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆ ନିୟମ ଲାଗୁ କରିବା ପାଇଁ ନିର୍ଣ୍ଣୟ ନେଇଛି । ୨୦୨୨ରୁ ଅନଲାଇନ ପେମେଣ୍ଟ କରିବା ସମୟରେ ଆପଣଙ୍କୁ ଡେବିଟ୍ କିମ୍ବା କ୍ରେଡିଟ କାର୍ଡର ୧୬ ଡିଜିଟ୍ ନମ୍ବର ସହିତ କାର୍ଡର ସମସ୍ତ ତଥ୍ୟ ଦେବାକୁ ପଡ଼ିବ । ନଚେତ ଟୋକେନାଇଜେସନର ବିକଳ୍ପ ଚୟନ କରିବାକୁ ପଡ଼ିବ ।
୧ ଜାନୁଆରୀରୁ ATM ରୁ ଟଙ୍କା ଉଠାଣ ହେବ ମହଙ୍ଗା
ନୂଆ ବର୍ଷରୁ ଆଉ ଏକ ମହଙ୍ଗା ମାଡ ଆପଣଙ୍କୁ ସହିବାକୁ ପଡ଼ିବ । ୧ ଜାନୁଆରୀ ୨୦୨୨ରୁ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବାକୁ ଯାଉଛି । RBI ନୂଆ ନିୟମ ଅନୁସାରେ ଏବେ ଉପଭୋକ୍ତାଙ୍କୁ ଫ୍ରି ଟ୍ରାଞ୍ଜାକ୍ସନ ପରେ ଆଉ ଅଧିକ ଟ୍ରାଞ୍ଜାକ୍ସନ କଲେ ଅଧିକ ଟଙ୍କା ଦେବାକୁ ପଡ଼ିବ । ୧ ଜାନୁଆରୀରୁ ଦେଶର ସମସ୍ତ ବ୍ୟାଙ୍କ ଏଟିଏମ ଚାର୍ଜରେ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଏଟିଏମ ଲିମିଟ୍ ପୂରା ହେବା ପରେ ଏବେ ପ୍ରତି ଟ୍ରାଞ୍ଜାକ୍ସନରେ ୨୧ ଟଙ୍କା ଦେବାକୁ ପଡ଼ିବ ।
ପୋଷ୍ଟ ଅଫିସ୍ ନିୟମ ମଧ୍ୟ ବଦଳିବ
ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (ଆଇପିପିବି) ଘୋଷଣା କରିଛି ଯେ ଜାନୁୟାରୀ ୧, ୨୦୨୨ରୁ ଶାଖା ନଗଦ ଟଙ୍କା ଉଠାଇବା ଏବଂ ଜମା ଉପରେ ଚାର୍ଜ ସଂଶୋଧନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଜାନୁଆରୀ ୧, ୨୦୨୨ ପରେ, ଯଦି ଏକ ଆଇପିପିବି ଆକାଉଣ୍ଟଧାରୀ ନିର୍ଦ୍ଧାରିତ ମାଗଣା ସୀମା ଅତିକ୍ରମ କରିବା ପରେ ଟଙ୍କା ଜମା କରନ୍ତି କିମ୍ବା ଟଙ୍କା ଉଠାନ୍ତି । ତେବେ ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ହେଉଛି ଇଣ୍ଡିଆ ପୋଷ୍ଟର ଏକ ବିଭାଗ, ଯାହା ପୋଷ୍ଟ ବିଭାଗର ମାଲିକାନା ରହିଛି ।
ବଦଳିବ ଗୁଗୁଲ ଆପର ନିୟମ
ଆସନ୍ତା ମାସରୁ ଗୁଗୁଲ ମଧ୍ୟ ଅନେକ ନିୟମ ପରିବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀ ୧, ୨୦୨୨ରୁ ଗୁଗୁଲରେ ଅନଲାଇନ୍ ପେମେଣ୍ଟ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେବ । ଏହା ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହି ନୂଆ ନିୟମ ସମସ୍ତ ଗୁଗୁଲ୍ ସେବା ଯେପରିକି ଗୁଗୁଲ୍ ବିଜ୍ଞାପନ, ୟୁଟ୍ୟୁବ୍, ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଅନ୍ୟାନ୍ୟ ଦେୟ ସେବା ପାଇଁ ପ୍ରଯୁଜ୍ୟ ହେବ ।
LPG ସିଲିଣ୍ଡର ମୂଲ୍ୟ
ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏଭଳି ପରିସ୍ଥିତିରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିବ କି ନାହିଁ ତାହା ୧ ଜାନୁଆରୀରେ ଜଣାପଡ଼ିବ ।