ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ ମଧ୍ୟରେ ସମ୍ପର୍କ ସ୍ଥାପନ, ବିକ୍ରମ ଲ୍ୟାଣ୍ଡରକୁ ସ୍ୱାଗତ କଲା ଚନ୍ଦ୍ରଯାନ-୨ ଅର୍ବିଟର

1 min read

ନନ୍ଦିଘୋଷ ବ୍ୟୁରୋ: ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଭାରତର ଏହି ମିଶନ ଲଗାତାର ବିନା ବାଧାରେ ଆଗକୁ ବଢ଼ିଚାଲିଛି । ଧୀରେ ଧୀରେ ଚନ୍ଦ୍ରରେ ଅବତରଣ କରିବାର ସମୟ କମି କମି ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ୍ ଦେଇଛି ଇସ୍ରୋ । ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ସହ ଚନ୍ଦ୍ରଯାନ-୩ର ସଫଳତାପୂର୍ବକ ସମ୍ପର୍କ ସ୍ଥାପନ ହୋଇଛି । ଚନ୍ଦ୍ରାଯାନ-୨ର ଅର୍ବିଟର ଚନ୍ଦ୍ରାଯନ-୩କୁ ସ୍ୱାଗତ କରିଛି । ଉଭୟ ଯାନ ମଧ୍ୟରେ ସମ୍ବାଦ ହୋଇଛି । ଇସ୍ରୋ ଏଥିସହିତ ଚନ୍ଦ୍ରଯାନ-୩ର ଚନ୍ଦ୍ର ଉପରେ ଲ୍ୟାଣ୍ଡିଂକୁ ନେଇ ତାଜା ଅପଡେଟ୍ ମଧ୍ୟ ଦେଇଛି ।

ଉଲ୍ଲେଖଯୋଗ୍ୟ, ରବିବାର ସକାଳେ ଡିବୁଷ୍ଟିଂ କରାଯିବା ପରେ ଚନ୍ଦ୍ରପୃଷ୍ଠରୁ ମାତ୍ର ୨୫ କିମି ଦୂରରେ ଥିଲା ଚନ୍ଦ୍ରଯାନ-୩ । ଆଜି ଏହା ଆହୁରି କମିଯାଇଛି । ଚନ୍ଦ୍ରଯାନ-୩ ଚନ୍ଦ୍ରର ଚାରିପାଖରେ ଚକର ଲଗାଇବା ସହ ତା ପାଖକୁ ଆସୁଛି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ନେଇ ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟ ନିରଦ୍ଧାରିତ କରାଯାଇଛି । ଏହି ସମୟରେ ଚନ୍ଦ୍ରପୃଷ୍ଠରେ ଯାନକୁ ସୁରକ୍ଷିତ ଏବଂ ସଫ୍ଟ ଲ୍ୟାଣ୍ଡିଂ କରାଇବା ନେଇ ପ୍ରୟାସ କରାଯିବ । ତେବେ ଏହି ଲ୍ୟାଣ୍ଡିଂ ସମୟର ସିଧାପ୍ରସାରଣ ମଧ୍ୟ ଇସ୍ରୋର ଅଫିସିଆଲ ୱେବସାଇଟ୍, ୟୁଟ୍ୟୁବ୍ ଏବଂ ପେସବୁକରେ କରାଯିବ । ଏହି ଐତିହାସିକ ମୂହୁର୍ତ୍ତକୁ ଉତ୍ସାହର ସହ ଚାହିଁ ରହିଛନ୍ତି ପ୍ରତ୍ୟେକ ଭାରତୀୟ ।