ଫେବୃଆରୀ ୪ରେ କୋଣାର୍କ ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼

ପୁରୀ: ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ କୋଣାର୍କ ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ । ଏଥିପାଇଁ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ସ୍ଥାନୀୟ ତ୍ରିବେଣୀଶ୍ୱର, ଦଖିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥଙ୍କ ଦ୍ୱାରା ମହା ଆଳତୀ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ ।

ର୍ପୌରାଣିକ ମତାନୁସାରେ ଏହା ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ବୁଡକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏହି ବୈଠକରେ ହୋଇଛି ଆଲୋଚନା । ପୁରୀ ଉପଜିଲ୍ଲାପାଳଙ୍କ ସମେତ ପୁରୀ ଜିଲ୍ଲା ଅତିରିକ୍ତ ଏସପି ,ସ୍ଥାନୀୟ ଏନଏସି ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ, ୩ ଠାକୁରଙ୍କ ସେବାୟତ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।