ଆସନ୍ତା ୬ରେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ମୁଖ୍ଯମନ୍ତ୍ରୀଙ୍କ ଭେଟଘାଟ

1 min read

ନୂଆଦିଲ୍ଲୀ : ଆସନ୍ତା ୬ରେ ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଓ ତେଲଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀ ଭେଟଘାଟ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟକୁ ନେଇ ରାଜନୀତି ସରଗରମ । ତେବେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ ଅମୀମାଂସିତ କେତେକ ପ୍ରସଙ୍ଗରେ ଆଲୋଚନା କରିବାକୁ ରେବନ୍ତଙ୍କୁ ଅନୁରୋଧ କରିଛନ୍ତି ଚନ୍ଦ୍ରବାବୁ । ଏନଡିଏର ଜଣେ ମୁଖ୍ୟମନ୍ତ୍ରୀ ଇଣ୍ଡିଆ ମେଣ୍ଟର ଜଣେ ମୁଖ୍ଯମନ୍ତ୍ରୀଙ୍କ ସହ ଆଲୋଚନାକୁ ନେଇ ଜୋର ଧରିଛି ରାଜନାତି ।

ହାଇଦ୍ରାବାଦରେ ଏହି ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ଚନ୍ଦ୍ରବାବୁ । ଏନେଇ ଲେଖିଥିବା ପତ୍ରରେ ଚନ୍ଦ୍ରବାବୁ କହିଛନ୍ତି- ଆନ୍ଧ୍ରପ୍ରଦେଶ ବିଭାଜନ ହେବାର ୧୦ ବର୍ଷ ହୋଇଯାଇଛି । ତେବେ ପୁନର୍ଗଠନ ଆଇନ ଅନୁସାରେ ଅନେକ ପ୍ରସଙ୍ଗ ଆଲୋଚିତ ହୋଇପାରିନାହିଁ । ଦୁଇ ରାଜ୍ଯର ଉନ୍ନତି ଓ କଲ୍ଯାଣ ଲାଗି ଦ୍ବିପାକ୍ଷିକ ଆଲୋଚନା ଜରୁରୀ । ତେଲୁଗୁ ଭାଷାଭାଷୀ ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଦୁଇ ରାଜ୍ଯ ମଧ୍ଯରେ ଦ୍ବିପାକ୍ଷିକ ଆଲୋଚନା ଉଚିତ ବୋଲି ଦର୍ଶାଇଛନ୍ତି ନାଇଡୁ । ଦୁଇ ନେତାଙ୍କ ମଧ୍ଯରେ ମୁହାଁମୁହିଁ ଆଲୋଚନା ଦ୍ବିପାକ୍ଷିକ ସମସ୍ଯାର ସମାଧାନ କରିପାରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି । ଆନ୍ଧ୍ରପ୍ରଦେଶର ରାଜଧାନୀ ବର୍ତ୍ତମାନ ସୁଦ୍ଧା ସଠିକ୍ ନିରୂପିତ ହୋଇପାରିନାହିଁ । ଅମରାବତୀକୁ ରାଜଧାନୀ କରିବା ଲାଗି ନିଷ୍ପତ୍ତି ହୋଇଥିଲେ ବି ପୂର୍ବତନ ଜଗନ ମୋହନ ସରକାର ଏହି ପ୍ରକଳ୍ପକୁ ଆଗେଇ ନଥିଲେ ।

ସେପଟେ ତେଲଙ୍ଗାନାରେ ଟିଡିପିର ଭିତ୍ତି ପ୍ରତିଷ୍ଠା ଲାଗି ନାଇଡୁଙ୍କ ଏହା ଏକ ଉଦ୍ଯମ ବୋଲି ଚର୍ଚ୍ଚା ହେଉଛି । ତେଲଙ୍ଗାନାରେ ଟିଡିପିର ଭିତ୍ତିସ୍ଥାପନ ଲାଗି ଭାରତ ରାଷ୍ଟ୍ର ସମିତି ବିଶେଷ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । ଏଠାରେ ଉଲ୍ଲେଖଯୋଗ୍ଯ ଯେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ରେବନ୍ତ ରେଡ୍ଡୀ ଟିଡିପିରେ ଥିଲେ ଏବଂ ଚନ୍ଦ୍ରବାବୁଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିଲେ ।

୨୦୧୫ରେ ଭୋଟ ଲାଗି ନୋଟ ସ୍କାମରେ ଛନ୍ଦି ହୋଇ ଜେଲ ଯାଇଥିଲେ ରେବନ୍ତ । ଚନ୍ଦ୍ରବାବୁଙ୍କ ପ୍ରତିନିଧି ଭାବେ ସେ ବିଧାନସଭାର ଜଣେ ମନୋନୀତ ସଦସ୍ଯଙ୍କୁ ପ୍ରଭାବିତ କରିବା ଲାଗି ୫୦ ଲକ୍ଷ ଟଙ୍କା ଯାଚିବା ଘଟଣା କ୍ଯାମେରା ସାମନାର ଧରାପଡିବା ପରେ ରେବନ୍ତ ଗିରଫ ହୋଇ ଜେଲ ଯାଇଥିଲେ । ଦଳର ସୀମା ବାହାରେ ରେବନ୍ତ ଅନ୍ଯ ଦଳର ନେତାଙ୍କ ସହ ମିଶିବା ଘଟଣା ବି ଚର୍ଚ୍ଚାରେ ରହିଛି । ନିକଟରେ ଦିଲ୍ଲୀରେ ସେ ବିଜେପିର ଜେ.ପି. ନଡ୍ଡାଙ୍କ ସହ ଆଲୋଚନା କରିଥିଲେ । ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲଙ୍ଗାନା ଗସ୍ତ କାଳରେ ସେ ତାଙ୍କୁ ବଡ ଭାଇ ବୋଲି ସମ୍ବୋଧନ କରି ଚର୍ଚ୍ଚାରେ ଥିଲେ ।