ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ମୋଟ ସଂପତ୍ତି ହେଲା ୯୩୧ କୋଟି । ପଶ୍ଚିମବଙ୍ଗର  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ। ତାଙ୍କ ସଂପତ୍ତି ହେଲା ମାତ୍ର ୧୫ ଲକ୍ଷ ଟଙ୍କା। ଏଡିଆର ପକ୍ଷରୁ  ଜାରି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଓ ଅପରାଧିକ ସମ୍ପର୍କିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ ଅର୍ଥାତ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧ ମାମଲା ଥିବା ଦର୍ଶା ଯାଇଛି।

ରିପୋର୍ଟ ଅନୁସାରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ପରିମାଣ ୫୨ କୋଟି ୫୯ ଲକ୍ଷ ଟଙ୍କା। ଏହି ସମୟରେ ଦେଶର ମୁଣ୍ଡପିଛା ଜାତୀୟ ଆୟ ଅର୍ଥାତ ଏନଏନଆଇ ୨୦୨୩-୨୪ରେ ପାଖାପାଖି ୧ ଲକ୍ଷ ୮୫ ହଜାର ୮୫୪ ଟଙ୍କା ଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ହାରାହାରି ବ୍ୟକ୍ତିଗତ ଆୟ ଥିଲା ୧୩ ଲକ୍ଷ ୬୪ ହଜାର ୩୧୦ ଟଙ୍କା, ଯାହା ଭାରତର ମୁଣ୍ଡପିଛା ଆୟର ୭.୩ ଗୁଣାରୁ ବି ଅଧିକ। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ୧ ହଜାର ୬୩୦ କୋଟି ଟଙ୍କା। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସଂପତ୍ତି  ୩୩୨ କୋଟି ।

ସେ ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମୈୟା ୫୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କର ସଂପତ୍ତି ୪୧ କୋଟିରୁ ଅଧିକ । ତାଙ୍କ ନିଜର ବାର୍ଷିକ ଆୟ ୨୪ ଲକ୍ଷ ଟଙ୍କାରୁ ଅଧିକ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ୨୫କୋଟି ୩୩ଲକ୍ଷ ଟଙ୍କାରୁ ଅଧିକ। ତାଙ୍କର ବ୍ୟକ୍ତିଗତ ଆୟ ୨୨ ଲକ୍ଷ ଟଙ୍କାରୁ ଅଧିକ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସଂପତ୍ତି  ୫୫ଲକ୍ଷ ଟଙ୍କା ।

ମମତାଙ୍କ ପରେ ଗରିବ ମୁଖ୍ୟମନ୍ତ୍ରୀ ତାଲିକାର ସେ ଦ୍ଵିତୀୟ ସ୍ଥାନରେ। ତାଙ୍କ ପଛକୁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସଂପତ୍ତି  ୧ କୋଟି ୧୮ ଲକ୍ଷ ଟଙ୍କା। ଋଣୀ ମୁଖ୍ୟମନ୍ତ୍ରୀଙ୍କ ସୂଚୀରେ ପେମା ଖାଣ୍ଡୁ ୧୮୦ କୋଟି ଟଙ୍କାର ଋଣ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ସିଦ୍ଧରମୈୟା ୨୩ କୋଟି ଟଙ୍କା ଋଣ କରିଥିବା ବେଳେ ଚନ୍ଦ୍ରବାବୁ ନାୟଡୁଙ୍କ ଉପରେ ୧୦ କୋଟି ଟଙ୍କାର ଋଣ ଭାର ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୋଟ ସମ୍ପତ୍ତି ୧ କୋଟି ୫୪ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ଆୟ ୧୩ଲକ୍ଷ ଟଙ୍କାରୁ ବି ଅଧିକ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ମୋଟ ସମ୍ପତ୍ତି ୧ କୋଟି ୪୬ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କର ବ୍ୟକ୍ତିଗତ ଆୟ ୬ଲକ୍ଷରୁ ଅଧିକ ।