ଗୁଜରାଟରେ ମାତିଲା ଚାନ୍ଦିପୁରା ଭାଇରସ

ନନ୍ଦିଘୋଷ ବ୍ୟୁରୋ : ଗୁଜରାଟରେ ମାତିଲା ଚାନ୍ଦିପୁରା ଭାଇରସ। ପୁଣି ଜଣେ ସାଢେ ଚାରିବର୍ଷର ଶିଶୁର ଜୀବନ ନେଲା କିଲର ଭାଇରସ। ଭାଇରସ ଜନିତ ମୃତ୍ଯୁ ନେଇ ସ୍ପଷ୍ଟ କଲା ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି। ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ୧୪ ଜଣ ଏହି ଭାଇରସରେ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ଯରୁ ୮ ଜଣ ପ୍ରାଣ ହରାଇଛନ୍ତି। ସମସ୍ତଙ୍କ ନମୁନା ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଛି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ସାବରକନ୍ଥ, ଆରାବଳୀ, ମହିସାନଗର, ଖେଡା, ମେହସାନା, ରାଜକୋଟ ଆଦି ଜିଲ୍ଲାରେ ଚାନ୍ଦିପୁରା ଭାଇରସ ଆତଙ୍କ ଖେଳାଇଛି। ରାଜସ୍ଥାନ ଓ ମଧ୍ଯପ୍ରଦେଶର ୩ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ୨୬ଟି ଆବାସିକ ଜୋନରୁ ୪୪ ହଜାର ଲୋକଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇଛି। ଏହି ଭାଇରସ ଭେସିକୁଲାର ଭାଇରସ ଜେନସ ଶ୍ରେଣୀର ଅନ୍ତର୍ଗତ। ଏହା ମୁଖ୍ଯତଃ ଫ୍ଲେବୋଟୋମାଇନ କୀଟ ବା ବାଲୁମକ୍ଷିକା ଦ୍ବାରା ସଂକ୍ରମିତ ହୋଇଥାଏ। ଏହା ସହ ଅନ୍ଯାନ୍ଯ କୀଟ ଓ ମଶା ଦ୍ବାରା ମଧ୍ଯ ସଂକ୍ରମିତ ହୋଇଥାଏ। ଏହି ଭାଇରସ ମୁଖ୍ଯତଃ ପିଲାଙ୍କ ପ୍ରତି ବିପଦ ସାବ୍ଯସ୍ତ ହୋଇଥାଏ।
ସୂଚନାଯୋଗ୍ୟ, ୧୯୬୫ରେ ପ୍ରଥମେ ଏହାକୁ ମହାରାଷ୍ଟ୍ରର ଚାନ୍ଦିପୁରା ଗ୍ରାମରୁ ଠାବ ହୋଇଥିବାରୁ ଏହାକୁ ଚାନ୍ଦିପୁରା ଭାଇରସ କୁହାଯାଇଥାଏ। ଚାନ୍ଦିପୁରା ଭାଇରସ ଯୋଗୁ ପ୍ରବଳ ଜ୍ବର, ଡାଇରିଆ, ବାନ୍ତି, କାଶ, ମସ୍ତିଷ୍କ ପ୍ରଦାହ ହୋଇଥାଏ। ୨୪ରୁ ୭୨ ଘଣ୍ଟା ମଧ୍ଯରେ ରୋଗୀ ପ୍ରାଣ ହରାଇଥାନ୍ତି। ବର୍ତ୍ତମାନ ସୁଦ୍ଧା ଚାନ୍ଦିପୁରା ଭାଇରସର ଚିକିତ୍ସା ବ୍ଯବସ୍ଥା ଓ ଟିକା ବାହାର କରାଯାଇପାରିନାହିଁ।