ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ପରୀକ୍ଷା ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ ମିସାଇଲ

1 min read

ବାଲେଶ୍ୱର: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ରୁଜ ମିଶାଇଲର ପରୀକ୍ଷଣ କରାଯାଇଛି । ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ ଦ୍ବାରା କରାଯାଇଥିବା ଏହି ପରୀକ୍ଷାରୁ ମିଳିଥିବା ତଥ୍ଯକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ତର୍ଜମା କରୁଛନ୍ତି। ପୂର୍ବରୁ ଥିବା ନିର୍ଭୟ ମିସାଇଲର ଏହା ଅପଡେଟ୍ ଭର୍ସନ ଓ ଏଥିରେ ସମ୍ପୂର୍ଣ୍ଣ ଭାବେ ମେକ ଇନ ଇଣ୍ଡିଆର ଯନ୍ତ୍ରାଂଶ ଓ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ITCMରେ Small Turbo Fan Engine ବ୍ୟବହାର କରାଯାଇଥିବାରୁ କ୍ଷେପଣାସ୍ତ୍ରର ଓଜନ ମଧ୍ଯ କମ୍ ହୋଇପାରିଛି । ଯାହା ଫଳରେ ମିସାଇଲର ଲକ୍ଷ୍ୟଭେଦ ଦୂରତା ବୃଦ୍ଧି ପାଇଛି ।

ଭାରତ ଡାୟନାମିକ ଲିମିଟେଡ ଦ୍ବାରା ନିର୍ମିତ ITCMର ମୋଟ ଓଜନ ୧୫୦୦ କିଲୋଗ୍ରାମ ଥିବାବେଳେ, ଲମ୍ବ ୬ ମିଟର ରହିଛି। ଏହା ସମୁଦ୍ର ଜଳ ସ୍ତରର ୫୦ ମିଟର ଉପରେ ଉଡାଣକରି ଶତୃପକ୍ଷକୁ ଆକ୍ରମଣ କରିପାରିବାର କ୍ଷମତା ରହିଛି। ଏଥିରେ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରଯାଇ ପାରିବ। କେନିଷ୍ଟାରରୁ ବୋଷ୍ଟର ମିସାଇଲକୁ ଉତକ୍ଷେପଣ କରିବାପରେ ଏଥିରେ ସଂଯୋଗ ଥିବା ଇଞ୍ଜିନ କାମ କରିବା ଆରମ୍ଭ କରିଥାଏ। ଏଥିସହିତ ମିସାଇଲରେ ଖଞ୍ଜା ଯାଇଥିବା ୨.୭ ମିଟର ଲମ୍ବର ଡେଣା ସାହାଯ୍ୟରେ ଏକ ଏୟାରକ୍ରାଫ୍ଟ ଭଳି ଉଡାଣ କରିବା ସହିତ ଶତ୍ରୁପକ୍ଷର ଫଟୋ, ଭିଡିଓ କଣ୍ଟ୍ରୋଲ ରୁମକୁ ପଠାଇ ପାରିଥାଏ। ଆଜିର ପରୀକ୍ଷଣ ସଫଳ ହେଲେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଶେଷ ପରୀକ୍ଷଣ କରାଯିବ ବୋଲି ଜଣାପଡିଛି ।