ଗୋଟିଏ ସ୍ଥାନରେ ନାମ ଲେଖା, ଅନ୍ୟତ୍ର ପଢୁଛନ୍ତି ପିଲା

ଚଣ୍ଡିଖୋଲ : ଭଗ୍ନ ଅବସ୍ଥାରେ ପଡି଼ ରହିଛି ସ୍କୁଲ । ନିର୍ମାଣ ହେଉନି ନୂତନ କୋଠା । ଅନ୍ୟତ୍ର ବିଦ୍ୟାଳୟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବେଣାପୁର ଠାରେ ଥିବା ମା’ ବାସୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସମସ୍ୟାରେ ପଡି ଘାଣ୍ଟି ହେଉଛନ୍ତି ଛାତ୍ରଛାତ୍ରୀ । ବାସୁଳେଇ ସ୍କୁଲରେ ଷଷ୍ଠ ଓ ସପ୍ତମ ଦୁଇଟି ଶ୍ରେଣୀରେ ୩୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ହେଲେ ସ୍କୁଲଟି ଦୀର୍ଘ ବର୍ଷ ଧରି ମରାମତି ନହେବାରୁ କାନ୍ଥରେ ବଡବଡ ଫାଟ ସୃଷ୍ଟି ହୋଇଥିଲା । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।

ବାସୁଳେଇ ବିଦ୍ୟାଳୟ ଘରଟି ଅସୁରକ୍ଷିତ ହୋଇଯିବା ପରେ ପିଲାଙ୍କୁ ବେଣାପୁର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ ଶ୍ରେଣୀ କକ୍ଷରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ହେଲେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପ୍ରତିଦିନି ଏକ କିଲୋମିଟର ଦୂରରେ ଥିବା ସେହି ପୁରୁଣା ସ୍କୁଲକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ବ୍ଲକ ଉନ୍ନୟନ ଅଧିକାରୀ ସ୍ଥିତି ପରଖିଛନ୍ତି । ଖୁବଶୀଘ୍ର ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ । ବିପଦସଙ୍କୁଳ ଭାବେ ସ୍କୁଲ କାନ୍ଥ ଝୁଲିରହିଛି । ପ୍ରଶାସନ ନିହାଲ କିନ୍ତୁ ଅଯଥା ହଇରାଣ ହରକତ ହେଉଛନ୍ତି ପିଲା । ତେଣୁ ଖୁବଶୀଘ୍ର ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କରିବାକୁ ଦାବି ଜୋର ଧରିଛି ।