ଅବହେଳିତ ଯାଜପୁରର ବିଶ୍ୱପ୍ରସିଦ୍ଧ ଉଦୟଗିରି ବୌଦ୍ଧ ବିହାର

ଚଣ୍ଡିଖୋଲ : ପରିଚୟ ଖୋଜୁଛି ପ୍ରାଚୀନ କୀର୍ତ୍ତିରାଜି । ଅବହେଳିତ ଯାଜପୁରର ବିଶ୍ୱପ୍ରସିଦ୍ଧ ଉଦୟଗିରି ବୌଦ୍ଧ ବିହାର । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜା ଗଲାଣି ପାଚେରୀ । ପର୍ଯ୍ୟଟକଙ୍କ ପାଇଁ ନାହିଁ ମୌଳିକ ସୁବିଧା । ଏଠାକାର ବୌଦ୍ଧ କୀର୍ତ୍ତିରାଜି ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ସମୟର ବୋଲି କୁହାଯାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଆଜି ଏହି ପର୍ଯ୍ୟଟନସ୍ଥଳୀ ଜରାଜୀର୍ଣ୍ଣ ଅବସ୍ଥାରେ। ବୌଦ୍ଧ କୀର୍ତ୍ତିରାଜିର ସୁରକ୍ଷା ପାଇଁ ନିର୍ମିତ ପାଚେରୀ କେଉଁଠି ପାଚେରୀ ଭାଙ୍ଗିଯାଇଛି ତ ଆଉ କେଉଁଠି ପାଚେରୀରେ ଲାଗିଥିବା ଲୁହାକୁ ଚୋରିକରି ନେଇଛନ୍ତି ଦୁବୃର୍ତ୍ତ । ବୌଦ୍ଧ ବିହାରକୁ ଭଲ ରାସ୍ତାଟିଏ ନଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କିମ୍ଵା ରହଣି ପାଇଁ ମୌଳିକ ସୁବିଧା ନାହିଁ । ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା ଦ୍ଵାରା ଉଦ୍ଧାର ହୋଇଥିବା ମୂର୍ତ୍ତି ଗୁଡ଼ିକ ଏଣେତେଣେ ପଡ଼ିରହିଛି । ଦୀର୍ଘଦିନର ଦାବି ପରେ ମଧ୍ୟ ଏଠାରେ ମ୍ୟୁଜିୟମ ଟିଏ ସ୍ଥାପନ ହୋଇପାରିଲାନାହିଁ।

ଉଦୟଗିରିକୁ ବର୍ଷତମାମ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ନେପାଳ, ଭୂଟାନ, ତିଦ୍ଦତ, ଗୟା ଓ ବାରଣାସୀରୁ ବୌଦ୍ଧ ଧର୍ମାବଲମ୍ବୀମାନେ ଆସିଥାନ୍ତି। । ହେଲେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ହେଉନଥିବାରୁ ପର୍ଯ୍ୟଟକମାନେ ଆସିବାକୁ ମୁଁହ ଫେରାଉଛନ୍ତି । ପୂର୍ବରୁ ଏଠାରେ ଗୁରୁ ପଦ୍ମସମ୍ଭବଙ୍କ ଅନ୍ତର୍ଜାତୀୟ ମହାସମାବେଶ ଅନୁଷ୍ଠିତ ହୋଇଥିଲା । ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ମହାସମାବେଶ ପାଇଁ ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ସୁଦ୍ଧା ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ହେଉ ନଥିବାରୁ ସମସ୍ୟା ଦେଖାଦେଉଛି । କେନ୍ଦ୍ର ପତ୍ନତତ୍ତ୍ଵ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।