‘ଯିଏ ଭୋଟ୍ ନ ଦେବ ତାଙ୍କୁ ଜୋତାମାଡ଼ର ଆବଶ୍ୟକତା ରହିଛି’: କିରଣ ଖେର

1 min read

ଚଣ୍ଡୀଗଡ଼: ସୀମା ଟପିଲେ ଚଣ୍ଡୀଗଡ଼ର ବିଜେପି ସାଂସଦ କିରଣ ଖେର । ଏପରିକି ତାଙ୍କୁ ଯିଏ ଭୋଟ୍ ନ ଦେବ ତାଙ୍କୁ ଜୋତାରେ ପିଟିବା ଲାଗି କହିଛନ୍ତି କିରଣ । କିଶନଗଡ଼ରେ ଆୟୋଜିତ ଏକ ଭିତ୍ତିପ୍ରସ୍ତର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କିରଣ ଏହି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଖୋଦ୍ ଚଣ୍ଡୀଗଡ଼ ମେୟର ଅନୁପ ଗୁପ୍ତା ଓ ପୌରନିଗମ କମିଶନର ଅନିନ୍ଦିତା ମିତ୍ରଙ୍କ ଉପସ୍ଥିତିରେ ଏହା କହିଛନ୍ତି କିରଣ । ସେ କହିଥିଲେ- ଚଣ୍ଡୀଗଡ଼ ନିର୍ବାଚନ ମଣ୍ଡଳୀରେ ଥିବା ଦୀପ କମ୍ପ୍ଲେକ୍ସର ବାସିନ୍ଦାଙ୍କ ଲାଗି ସେ ଅନେକ କାମ କରିଛନ୍ତି । ଯଦି ତାଙ୍କୁ କମ୍ପ୍ଲେକ୍ସର କେହି ଜଣେ ଭୋଟ ଦେବେ ନାହିଁ ତେବେ ତାହା ଲଜ୍ଜାର ବିଷୟ । ସେମାନଙ୍କୁ ଜୋତାମାଡ଼ର ଆବଶ୍ୟକତା ରହିଛି ।

କିରଣଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି ଚଣ୍ଡୀଗଡ଼ ଯୁବ କଂଗ୍ରେସ ନେତା ମନୋଜ ଲୁବାନା । ଗତ ୯ ବର୍ଷ ମଧ୍ୟରେ କିରଣ ପ୍ରଥମ ଥର ଲାଗି କିଶନଗଡ଼ ଆସିଛନ୍ତି । ସେଠାରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଗତ ୨୦୨୨ ଜୁନରେ ବି କିରଣ ଆପ୍ କାଉନସିଲରମାନଙ୍କୁ ପଶୁ ବୋଲି କହି ବିବାଦରେ ଫସିଥିଲେ ।