ଚଣ୍ଡିଗଡ଼ ମେୟର ନିର୍ବାଚନରେ ଗଡ଼ବଡ଼ ମାମଲା, ବର୍ଷିଲେ ସୁପ୍ରିମକୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଗଡ଼ବଡ଼ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଫଳାଫଳରେ ଜାଲିଆତି ହୋଇଥିବା ନେଇ ଯାଞ୍ଚ ପରେ ରିଟର୍ଣ୍ଣିଂ ଅଫିସରଙ୍କୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହ ନାକଚ ହୋଇଥିବା ଆଠ ଭୋଟକୁ ମାନ୍ଯତା ଦେଇ ପୁନଃଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ । ୩୦ ଜାନୁଆରୀରେ ହୋଇଥିବା ମତଦାନରେ ଆଠ ଭୋଟ ଆମ ଆଦମୀ ପାର୍ଟି ସପକ୍ଷରେ ଯାଇଥିଲା । ହେଲେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ସେଥିରେ ଗାର ପକାଇଦେଇଥିବା ନେଇ ଅଭିଯୋଗ କରିଥିଲା ଆପ । ଶୁଣାଣିବେଳେ ଅନିଲ ତାଙ୍କ କାରନାମା ସଂପର୍କରେ ମାନିଯାଇଥିଲେ । ଏହାପରେ ଖଣ୍ଡପୀଠ ଉକ୍ତ ୮ ବାଲଟ ପେପରକୁ ମାନ୍ୟତା ଦେଇ ସାନି ଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି । ୩୦ ଜାନୁଆରୀରେ ବହୁ ବାଦବିବାଦ ପରେ ମେୟର ନିର୍ବାଚନ କରାଯାଇଥିଲା । ଏଥିରେ ଅନୈତିକ କାମ କରାଯାଇ ବିଜେପି ପ୍ରାର୍ଥୀ ମନୋଜ ସୋନକରଙ୍କୁ ଜିତାଇ ଦିଆଯାଇଥିବା ଅଭିଯୋଗ ଆଣିଥିଲେ ଆପ-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ କୁମାର ।