ଦଳରେ ଯୋଗ ଦେଲେନି ବୋଲି ଯୋଗ୍ୟଙ୍କୁ କରିଦେଲେ ଅଯୋଗ୍ୟ ହିତାଧିକାରୀ
ନନ୍ଦିଘୋଷ ବ୍ୟୁରୋ: ବିଜେପି ଦଳରେ ଯୋଗ ନ ଦେଲେ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ କରି ଦିଆଯାଉଛି । ଲିଷ୍ଟରେ ନାମ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ କାଟି ଦେଉଛନ୍ତି ସରପଞ୍ଚଙ୍କ ପ୍ରତିନିଧି । ଏମିତି କିଛି ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଳକର ଉତୁକୁଡା ପଞ୍ଚାୟତରୁ । ସୂଚନା ମୁତାବକ ଉକ୍ତ ପଞ୍ଚାୟତ ଚକିଆ ସାହିର ରଞ୍ଜନ ବେହେରା ଜଣେ ଖଟିଖିଆ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବହୁବାର ଆବେଦନ କରିଥିଲେ ରଞ୍ଜନ । ମାତ୍ର ରାଜନୈତିକ ଉଦ୍ଦେଶ୍ଯ ରଖି ହିତାଧିକାରୀଙ୍କ ତାଲିକାରୁ ରଞ୍ଜନଙ୍କ ନାମକୁ ବାଦ ଦିଆଯିବା ସହ କିଛି ଅଯୋଗ୍ୟ ଲୋକଙ୍କୁ ଯୋଗ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି ରଞ୍ଜନ । ପ୍ରଥମେ ଏ ବିଷୟରେ ଚାନ୍ଦବାଲି ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା ।
ପରେ ପଞ୍ଚାୟତର ସମସ୍ତ ହିତାଧିକାରୀଙ୍କ ତାଲିକା ସ୍ଥଗିତ ରଖି ପୁନଃଯାଞ୍ଚ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ରଞ୍ଜନ । ବିଡିଓ ଉଚ୍ଚ ନ୍ଯାୟାଳୟଙ୍କ ନୋଟିସ ପାଇବା ପରେ ଅଟକିଲା ସମସ୍ତ ହିତାଧିକାରୀଙ୍କ ଘର କାର୍ଯ୍ଯ । ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ସରପଞ୍ଚଙ୍କ ପ୍ରତିନିଧିଙ୍କ ସମେତ ବିଜେପିର ଶତାଧିକ କର୍ମୀ ରଞ୍ଜନଙ୍କ ଘର ନିକଟରେ ପହଞ୍ଚି କଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଷ୍ଟେ କରିଛୁ ବୋଲି ପ୍ରଶ୍ନ କରିବା ସହ ଗାଳି ଗୁଲଜ କରିଥିଲେ । ଏଥିରେ ଭୟଭୀତ ହୋଇ ରଞ୍ଜନ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ଥାନା ଅଧିକାରୀ ଘଟଣାସ୍ଥଳକୁ ପୋଲିସ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଏବେବି ଭୟଭୀତ ଅବସ୍ଥାରେ ରଞ୍ଜନଙ୍କ ପରିବାର । ରଞ୍ଜନଙ୍କୁ ପୋଲିସ ସୁରକ୍ଷା ସହ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ରଞ୍ଜନଙ୍କ ମାଆ । ଅନ୍ୟପଟେ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଏ ବିଷୟରେ ପଚାରିବାରୁ ତାଙ୍କ ପରିବାର ଆଗରୁ ଆବାସ ପାଇଥିବାରୁ ସେ ଯୋଜନାରୁ ବାଦ ପଡିଛନ୍ତି ବୋଲି କହି ସଫେଇ ଦେଇଛନ୍ତି ।