ଚାଣକ୍ୟ ନୀତି: ପ୍ରକୃତ ବନ୍ଧୁଙ୍କୁ ଚିହ୍ନନ୍ତୁ,କାରଣ ଶତ୍ରୁଙ୍କଠାରୁ ବି ସାଂଘାତିକ ହୋଇଥାନ୍ତି ଏମିତି ମିତ୍ର

1 min read

ମଣିଷ ଜୀବନରେ ଜଣେ ବନ୍ଧୁର ମହତ୍ୱ ବହୁତ ଅଧିକ ଥାଏ । କିନ୍ତୁ  ସେହି ବନ୍ଧୁ ଯଦି କ୍ଷତି କରିବାକୁ ଚାହାନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ ବିପଦଜ୍ଜନକ ହୋଇଯାନ୍ତି  । ସେଥିପାଇଁ ନିଜ ପ୍ରକୃତ ବନ୍ଧୁଙ୍କୁ କେମିତି ଚିହ୍ନିବେ ସେ ସମ୍ବନ୍ଧରେ ସତର୍କ କରାଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ ।

୧- ଚାଣକ୍ୟଙ୍କ କହିବା ଅନୁସାରେ, ଯିଏ ସାମ୍ନାରେ ପ୍ରଶଂସା କରେ ଏବଂ ପଛରେ ଖରାପ କୁହେ ସେମାନେ ବନ୍ଧୁ ହେବା ଯୋଗ୍ୟ ନୁହେଁ । ଏଭଳି ଲୋକେ ସାମ୍ନାରେ ମଧୁର କଥା କୁହନ୍ତି ଓ ଅନ୍ୟଜଣଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଭଳି ବନ୍ଧୁମାନେ ସୁଯୋଗ ପାଇବା ମାତ୍ରେ କ୍ଷତି କରନ୍ତି । ଶତ୍ରୁ ଅପେକ୍ଷା ଅଧିକ ବିପଦଜ୍ଜନକ ହୋଇଥାନ୍ତି ଏହିଭଳି ମିତ୍ର ।

୨- ବନ୍ଧୁମାନଙ୍କୁ ବିଶ୍ୱାସ କରି ନିଜର ବ୍ୟକ୍ତିଗତ ଜିନିଷ ବିଷୟରେ ଆଲୋଚନା କରିବା ଅନୁଚିତ୍ । କାରଣ ଯେତେବେଳେ ସମ୍ପର୍କରେ କୌଣସି ଅସୁବିଧା ହୁଏ, ସେତେବେଳେ ଏଭଳି ବନ୍ଧୁମାନେ ସମସ୍ତଙ୍କ ସାମ୍ନାରେ ସବୁ ରହସ୍ୟ ପ୍ରକାଶ କରିଦିଅନ୍ତି ।

୩- ଚାଣକ୍ୟଙ୍କ ଅନୁସାରେ ବନ୍ଧୁମାନେ ସର୍ବଦା ସମାନ ବର୍ଗର ହେବା ଉଚିତ୍। ଏହା ଦ୍ୱାରା ସମ୍ପର୍କ ଖରାପ ହେବାର ସମ୍ଭାବନା ରହେ ନାହିଁ ।

୪- ନିସ୍ୱାର୍ଥ ଭାବେ ଯେଉଁ ମଣିଷ ସବୁବେଳେ ଆପଣଙ୍କ ସହ ଥାଏ ସିଏ ହିଁ ପ୍ରକୃତ ମିତ୍ର । ସୁଖ ହେଉ ବା ଦୁଃଖ ସବୁ ସଙ୍କଟ ସମୟରେ ଯିଏ ଆପଣଙ୍କ ସହ ଛିଡା ହୁଏ ସିଏ ହିଁ ପ୍ରକୃତ ବନ୍ଧୁ ।

୫- ବିପରୀତ ପ୍ରକୃତିର ଲୋକମାନେ କଦାପି ବନ୍ଧୁ ହୋଇପାରିବେ ନାହିଁ । ଚାଣକ୍ୟଙ୍କ ଅନୁସାରେ ସାପ ଏବଂ ନେଉଳ , ଛେଳି ଏବଂ ବାଘ, ହାତୀ ଏବଂ ପିମ୍ପୁଡ଼ି ତଥା ସିଂହ ଏବଂ କୁକୁର କଦାପି ବନ୍ଧୁ ହୋଇପାରିବେ ନାହିଁ । ତେଣୁ ସମାନ ବର୍ଗର ଲୋକଙ୍କ ମଧ୍ୟରେ ହିଁ ଭଲ ବନ୍ଧୁତା ରହିପାରିବ ।

୬- ଭଲ କିମ୍ବା ଖରାପ ହେଉ, ସାଙ୍ଗମାନଙ୍କ ପ୍ରଭାବ ମଣିଷ ଜୀବନରେ ଅଧିକ ପଡିଥାଏ । ଏଥିପାଇଁ ବନ୍ଧୁତା କରିବାବେଳେ, ଦେଖିଚାହିଁ ସାଙ୍ଗ ହେବା ଉଚିତ୍ । ମିତ୍ରଙ୍କ ପ୍ରଭାବ ସୁସଙ୍ଗତ ହେବା ଜରୁରୀ ।

୭- ସ୍ୱାର୍ଥ ପାଇଁ ବନ୍ଧୁତା ସର୍ବଦା ଶତ୍ରୁତା ସୃଷ୍ଟି କରେ । ତେଣୁ, ମିତ୍ର ଚୟନ ପୂର୍ବରୁ ପରୀକ୍ଷା କରିବା ଉଚିତ୍ ଏବଂ ଭଲ ଭାବରେ ଚିନ୍ତା କରିବା ଆବଶ୍ୟକ  । କାରଣ ବନ୍ଧୁତା ନିବିଡ ହେବା ପରେ ଏହାର ପରିଣାମ ଖରାପ ହୋଇପାରେ ।

୮- ସାଙ୍ଗ ସାଥୀ ଏମିତି ହୋଇଥିବା ଜରୁରୀ ଯାହାର ସ୍ୱଭାବ ଭଲ ଥିବ ଓ ତାଙ୍କ ପ୍ରକୃତି ଆପଣଙ୍କ ସହିତ ମେଳ ଖାଉଥିବ । ସଙ୍କଟରେ, ଅସୁସ୍ଥତାରେ, ଏବଂ ଅସୁବିଧାରେ, ଯିଏ ସବୁବେଳେ ଥାଏ ତାଙ୍କୁ ହିଁ କୃଷ୍ଣ ଏବଂ ସୁଦାମା, କୃଷ୍ଣ ଏବଂ ଅର୍ଜୁନ କୁହାଯାଏ। ସେଥିପାଇଁ ସାଙ୍ଗସାଥୀ ସବୁବେଳେ ଦେଖିଚାହିଁ କରିବା ଜରୁରୀ ।

 

 

Leave a Reply