ଚାଣକ୍ୟ ନୀତି: ନିଜ ଆଖପାଖ ଲୋକଙ୍କୁ ଚିହ୍ନନ୍ତୁ, ବନ୍ଧୁତାର ଆବରଣ ତଳେ ଲୁଚିଥିବେ ଶତ୍ରୁ !
ସମସ୍ତେ ଜୀବନରେ ସଫଳତା ଚାହାଁନ୍ତି । କିନ୍ତୁ ଅନେକ ଥର କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିନଥାଏ । ନୀତି ଶାସ୍ତ୍ରର ମହାନ ଜ୍ଞାନୀ ଚାଣକ୍ୟ, ନିଜ ଗ୍ରନ୍ଥର ଚତୁର୍ଥ ଅଧ୍ୟାୟରେ ୬ଟି ବିଷୟର ଉଲ୍ଲେଖ କରିଛନ୍ତି । ଯାହାକୁ ଧ୍ୟାନରେ ରଖି କାର୍ଯ୍ୟ କଲେ ସଫଳତା ମିଳିଥାଏ । ଚାଣକ୍ୟ ନୀତିର ଚତୁର୍ଥ ଅଧ୍ୟାୟର ୧୮ ନମ୍ବର ପଦରେ, ଚାଣକ୍ୟ ଏହି ସଫଳତାର ନୀତି ବିଷୟରେ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ଏହି ନୀତିଗୁଡିକ ବିଷୟରେ…
ଚାଣକ୍ୟ କହିଛନ୍ତି, ନିଜ ଜୀବନରେ କ’ଣ ଘଟୁଛି, ସମୟ କିପରି ରହିଛି, ଦିନଗୁଡ଼ିକ ଖୁସିରେ ନା ଦୁଃଖରେ କଟୁଛି ଯେଉଁମାନେ ଜାଣିପାରନ୍ତି ସେ ହିଁ ଚତୁର ବ୍ୟକ୍ତି । ଆଉ ସେମାନେ ହିଁ ସଫଳ ହୋଇଥାନ୍ତି । କାରଣ ସମୟ ଏବଂ ପରିସ୍ଥିତି ଅନୁଯାୟୀ ସେମାନେ କାର୍ଯ୍ୟ କରନ୍ତି ଏବଂ ବ୍ୟବହାର ଦେଖାଇଥାନ୍ତି । ଏଥି ସହିତ, ଯିଏ ଏହି ସବୁ ଦିଗ ପ୍ରତି ଅଜ୍ଞ ଥାଏ, ସେ ହିଁ ଅସୁବିଧାର ସମ୍ମୁଖୀନ ହୋଇଥାଏ ।
ଶ୍ଲୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି ଯେ, ମଣିଷ ତା’ର ପ୍ରକୃତ ବନ୍ଧୁ ବିଷୟରେ ଜାଣିବା ଉଚିତ୍ । ଯଦି ଜଣେ ବ୍ୟକ୍ତି ନିଜ ଶତ୍ରୁକୁ ବନ୍ଧୁ ଭାବରେ ଚିହ୍ନି ଥାଏ, ତେବେ ଜୀବନରେ ସର୍ବଦା ବିଫଳତା ହିଁ ପାଇବ । କାରଣ ତା’ର ଶତ୍ରୁ ସମସ୍ତ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବ ।
ବ୍ୟକ୍ତି ଜଣକ ନିଜ କାର୍ଯ୍ୟକ୍ଷେତ୍ର ଏବଂ ଘରର ଆଖପାଖ ପରିସ୍ଥିତି ବିଷୟରେ ଅବଗତ ରହିବା ଉଚିତ୍ । କେଉଁ ପ୍ରକାର ଲୋକଙ୍କ ସହ କାମ କରୁଛି ଏବଂ ଚାରି ପାଖରେ କେଉଁ ଭଳି ଲୋକ ରହୁଛନ୍ତି ସେନେଇ ସତର୍କ ରହିବାକୁ ହେବ । ଏହା ଦ୍ୱାରା ଧୋକା ଖାଇବାର ସମ୍ଭାବନା କମ୍ ଥାଏ ଏବଂ ନିଜ କାର୍ଯ୍ୟରେ ସଫଳତା ମିଳିଥାଏ ।
ଚାଣକ୍ୟ କହିଛନ୍ତି ଯେ ବୁଦ୍ଧିମାନ ବ୍ୟକ୍ତି ହିଁ ତା’ର ଆୟ ଏବଂ ବ୍ୟୟ ଉପରେ ନଜର ରଖିଥାଏ । ଯଦି ଜଣେ ବ୍ୟକ୍ତି ଆୟକୁ ନ ଦେଖି ଅଧିକ ଖର୍ଚ୍ଚ କରେ, ତେବେ ସେ କିଛି ଦିନ ମଧ୍ୟରେ ଅସୁବିଧାରେ ପଡ଼ବାର ସମ୍ଭାବନା ରହିଛି ।
ଯେକୌଣସି ଅନୁଷ୍ଠାନରେ କାର୍ଯ୍ୟ କରିବାବେଳେ ଉଚ୍ଚ ଅଧିକାରୀ କିମ୍ବା ମାଲିକଙ୍କ ରୁଚିକୁ ବିଶେଷ ଧ୍ୟାନ ଦେବାକୁ ହେବ । ଯଦି ବ୍ୟକ୍ତିର କାମ ଉଚ୍ଚ ଅଧିକାରୀଙ୍କ ଆଖିରେ ଠିକ୍ ଲାଗୁଛି, ତେବେ ବ୍ୟକ୍ତି ସଫଳତାର ସହ ଦ୍ରୁତ ଗତିରେ ଆଗେଇ ପାରିବ । ଯଦି ଆମେ ଏକ ଅନୁଷ୍ଠାନରେ କାର୍ଯ୍ୟ କରୁଛେ, ତେବେ ଏହାର ଲାଭ ଦିଗରେ ଆମେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ଉଚିତ୍ ।
ଜଣେ ବ୍ୟକ୍ତି ନିଜର ଦକ୍ଷତା ଏବଂ ସେ କରୁଥିବା କାମ ବିଷୟରେ ଜ୍ଞାନ ରଖିବା ଉଚିତ୍ । କାର୍ଯ୍ୟ ସର୍ବଦା ନିଜର ସାମର୍ଥ୍ୟ ଅନୁଯାୟୀ କରାଯିବା ଉଚିତ୍ । ସାମର୍ଥ୍ୟ ବାହାରେ କାମ କରିବା ସର୍ବଦା କ୍ଷତିକାରକ ।